ମୁମ୍ବାଇ: ବିଜେପିର ପୂର୍ବତନ ଜାତୀୟ ମୁଖପାତ୍ର ନୂପୁର ଶର୍ମା ପ୍ରଫେଟ ମହମ୍ମଦଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନକୁ ସମର୍ଥନ କରିଥିବାରୁ ମଙ୍ଗଳବାର ଉଦୟପୁର ଏକ ବଡ଼ ହତ୍ୟାକାଣ୍ଡ ଘଟିଥିଲା। ଦୁଇଜଣ ମୁସଲିମ ଯୁବକ ଆସି ଦର୍ଜି କହ୍ନୈୟା ଲାଲଙ୍କ ଗଳା କାଟି ହତ୍ୟା କରିଥିଲେ। ଏହି ଘଟଣା ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇସାରିଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ କହ୍ନୈୟାଙ୍କ ଘରେ ପହଞ୍ଚି ଶୋକସନ୍ତପ୍ତ ପରିବାରଙ୍କୁ ସାନ୍ତ୍ୱନା ଦେଇଥିବା ଜଣାପଡ଼ିଛି। ପୀଡିତଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ଗେହଲଟ୍ ୫୧ଲକ୍ଷ ଟଙ୍କାର ଚେକ୍ ନେଇ ପହଞ୍ଚିବା ସହ କହ୍ନୈୟାଙ୍କ ଦୁଇ ପୁଅଙ୍କୁ ସରକାରୀ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଗେହଲଟ୍ କହିଛନ୍ତି ଯେ, ପୀଡ଼ିତଙ୍କ ପରିବାର ସହିତ ସରକାର ଅଛନ୍ତି ଏବଂ ପରିବାରକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯିବ।
#WATCH | Rajasthan CM Ashok Gehlot meets the family members of #KanhaiyaLal, who was killed by two men on June 28 in Udaipur pic.twitter.com/rQzra6Wqpd
— ANI MP/CG/Rajasthan (@ANI_MP_CG_RJ) June 30, 2022
ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଗୁରୁବାର ଦିନ ପ୍ରାୟ ୧ଟା ସମୟରେ ସ୍ୱତନ୍ତ୍ର ବିମାନ ଯୋଗେ ଉଦୟପୁରରେ ପହଞ୍ଚିଥିଲେ। ଏହା ପରେ ସେ କହ୍ନୈୟାଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ପାଇଁ ତାଙ୍କ ଘରେ ପହଞ୍ଚିଥିଲେ। ଘରେ ପହଞ୍ଚି ସେ କହ୍ନୈୟାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ କିଛି ସମୟ ବସି ତାଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ କଂଗ୍ରେସ ରାଜ୍ୟ ସଭାପତି ଗୋବିନ୍ଦ ସିଂ ଦୋଟାସରା, ଗୃହମନ୍ତ୍ରୀ ରାଜେନ୍ଦ୍ର ଯାଦବ, ରାଜସ୍ୱ ମନ୍ତ୍ରୀ ରାମଲାଲ ଜାଟ, ସିଏ ଉଷା ଶର୍ମା, ଡିଜିପି ମୋହନ ଲାଲ ଲାଠର ମଧ୍ୟ ଉପସ୍ଥିତ ଥିଲେ।