ଏମ୍‌ସ୍‌ରେ ଜଗା-ବଳିଆଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ: ପୃଥକ୍‌ କରାଯାଇଥିବା ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କୁ ଦେଖିବା ପାଇଁ ରବିବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନକୁ (ଏମ୍‌ସ୍‌) ଯାଇଥିଲେ।

ଅପରାହ୍ଣ ୧୨ଟା ୩୦ ମିନିଟ୍‌ରେ ସେଠାରେ ପହଞ୍ଚି ସେ ପ୍ରଥମେ ଏମ୍‌ସ୍‌ର ନିର୍ଦେଶକ ରଣଦୀପ ଗୁଲେରିଆ ଏବଂ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କୁ ଭେଟିଥିଲେ। ପିଲା ଦୁହିଁଙ୍କର ସ୍ୱାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ତାଙ୍କ ଠାରୁ ବିଭିନ୍ନ କଥା ପଚାରି ବୁଝିଥିଲେ ମୁଖ୍ୟମନ୍ତ୍ରୀ। ତା’ପରେ ଓ୍ଵାର୍ଡକୁ ଯାଇ ଜଗା-ବଳିଆଙ୍କୁ ଦେଖି ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ। ଏମ୍ସରେ ନବୀନ ପଟ୍ଟନାୟକ ଜଗା ବଳିଆଙ୍କ ପିତା ଭୂୟା କହଁର ଓ ମାତା ପୁଷ୍ପାଞ୍ଜଳି କହଁରଙ୍କୁ ମଧ୍ୟ ଭେଟିଛନ୍ତି।

ଆଗକୁ ଜଗା ବଳିଆଙ୍କ ଚିକିତ୍ସା ପାଇଁ ଯାହା ଖର୍ଚ୍ଚ ଆବଶ୍ୟକ ରାଜ୍ୟ ସରକାର ତାହା ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଜଗା ବଳିଆଙ୍କ ଚିକିତ୍ସା ସକାଶ ଏମ୍‌ସ୍‌ ଡାକ୍ତରମାନେ କରିଥିବା ପ୍ରଚେଷ୍ଟା ପାଇଁ ସେ ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

ପିଲା ଦୁହେଁ ଏବେ ବିପଦମୁକ୍ତ ବୋଲି ଏମ୍‌ସ୍‌ ଡାକ୍ତରମାନେ ନବୀନ ପଟ୍ଟନାୟକଙ୍କୁ କହିଥିଲେ। କିଛି ଦିନ ମଧ୍ୟରେ ଜଗାର ଖପୁରିରେ ତୃତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର କରାଯିବ ବୋଲି ଡାକ୍ତରମାନେ କହିଥିଲେ।

ସମ୍ବନ୍ଧିତ ଖବର