ରାହୁଲକୁ ଭେଟିବା ପାଇଁ ଦିଲ୍ଲୀରୁ ସିଧା ବିଲାସପୁର ଯିବେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ

ରାୟପୁର: ଦୀର୍ଘ ୧୦୪ ଘଣ୍ଟାର ଉଦ୍ୟମ ପରେ ବୋର୍‌ୱେଲ୍‌ରୁ ଗତରାତିରେ ଉଦ୍ଧାର କରାଯାଇଥିବା ରାହୁଲ୍‌ ସାହୁଙ୍କୁ ଆଜି ଭେଟିବେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ୍‌। ଦିଲ୍ଲୀରେ ଥିବା ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ୍‌ ସିଧା ବିଲାସପୁର ଯାଇ ରାହୁଲଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ସନ୍ଧ୍ୟାରେ ‌ସେ ବିଲାସପୁରର ଆପୋଲୋ ହସ୍ପିଟାଲରେ ପହଞ୍ଚିବା ସହ ରାହୁଲ ଓ ତାଙ୍କ ପରିବାର ଲୋକଙ୍କୁ ଭେଟିବେ ବୋଲି ସୂଚନା ମିଳିଛି।

ଏହା ପୂର୍ବରୁ ରାହୁଲଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଟ୍ବିଟ କରି ସୂଚନା ଦେଇଥିଲେ ବଘେଲ। ନିଦରୁ ଉଠି ଜଳଖିଆ ଖାଇ ସାରିଲାଣି; ସାମାନ୍ୟ ଜର ଆସିବା ଛଡ଼ା ବାକି ସ୍ବାସ୍ଥ୍ୟାବସ୍ଥା ଠିକ୍‌ ଅଛି ବୋଲି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ୍‌ କିଛି ସମୟ ‌ପୂର୍ବରୁ କହିଥିଲେ। ହିନ୍ଦୀ ଭାଷାରେ ଟୁଇଟ୍‌ କରି ସେ ଲେଖିଥିଲେ: ଜାଞ୍ଜଗୀରର ବାହାଦୁର୍‌ ରାହୁଲ୍‌ ସାହୁ ଶୋଇସାରି ଉଠିଲାଣି। ସେ ସକାଳ ଜଳଖିଆ ବି ଖାଇ ସାରିଲାଣି। ଖାଲି ସାମାନ୍ୟ ଜର ଛଡ଼ା ବାକି ସବୁ ଠିକ୍‌ ଅଛି।

ଏହା ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ବଘେଲ୍‌ ରାହୁଲ୍‌ଙ୍କ ଉଦ୍ଧାର ଅଭିଯାନକୁ ଉଦ୍ଦେଶ୍ୟ କରି ହିନ୍ଦୀ ଚଳଚ୍ଚିତ୍ରର ଗୀତିକାର ସାହିର୍‌ ଲୁଧିୟାନ୍‌ୱିଙ୍କ ଗୋଟାଏ ଗୀତ ତାଙ୍କ ଟୁଇଟର୍‌ରେ ପୋଷ୍ଟ୍‌ କରିଥିଲେ ଯାହାର ଓଡ଼ିଆ ଅର୍ଥ: ହଜାର ଚଡ଼କ ପଡୁ ଲକ୍ଷେ ତୋଫାନ ଆସୁ ପଛେ ଯେଉଁ ଫୁଲ ଫୁଟିବା କଥା ତାହା ଅବଶ୍ୟ ଫୁଟିବ।

ମଙ୍ଗଳବାର ବିଳମ୍ବିତ ରାତ୍ରରେ ରାହୁଲ୍‌ଙ୍କୁ ଉଦ୍ଧାର କରାଯିବା ପରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ୍‌ଙ୍କ ସମେତ ସମଗ୍ର ଛତିଶଗଡ଼ବାସୀ ଆଶ୍ବସ୍ତ ଅନୁଭବ କରିଥି‌ଲେ। ଶୁକ୍ରବାରଠାରୁ ପରିସ୍ଥିତି ଉପରେ ନଜର ରଖିଥିବା ମୁଖ୍ୟମନ୍ତ୍ରୀ ବଘେଲ୍‌ ଟୁଇଟ୍‌ କରିଥିଲେ: ସମସ୍ତଙ୍କ ପ୍ରାର୍ଥନା ଏବଂ ଉଦ୍ଧାରକାରୀ ଦଳଙ୍କ କଠୋର ତଥା ଉତ୍ସର୍ଗୀକୃତ ଉଦ୍ୟମ ଯୋଗୁଁ ରାହୁଲ୍‌ ସାହୁକୁ ନିରାପଦରେ ସ୍ଥାନାନ୍ତରଣ କରାଯାଇ ପାରିଛି। ଯଥା ଶୀଘ୍ର ସମ୍ଭବ ସେ ସମ୍ପୂର୍ଣ୍ଣ ସୁସ୍ଥ ହେଉ ବୋଲି ମୋର କାମନା।

ସମ୍ବନ୍ଧିତ ଖବର