ଅମୃତସର: ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ଭାଇ ଡାକ୍ତର ମନୋହର ସିଂହଙ୍କୁ କଂଗ୍ରେସ ପକ୍ଷରୁ ଟିକେଟ୍ ଦିଆଗଲାନାହିଁ। ମୁଖ୍ୟମନ୍ତ୍ରୀ ଚନ୍ନି ଚାହୁଁଥିଲେ ଯେ ତାଙ୍କ ଭାଇ ଡାକ୍ତର ମନୋହର ସିଂ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ। କିନ୍ତୁ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ୍ ସିଂ ସିଦ୍ଧୁ ମନୋହର ସିଂଙ୍କୁ ଟିକେଟ ଦେବା ସପକ୍ଷରେ ନ ଥିଲେ। ଏଣୁ ବିଧାୟକ ଗୁରୁପ୍ରୀତ ସିଂ ଜିପିଙ୍କୁ ହିଁ କଂଗ୍ରେସ ପକ୍ଷରୁ ଟିକେଟ୍ ମିଳିଛି। ଏହାକୁ ନେଇ ଦଳରେ ଏବଂ ସ୍ଥାନୀୟ କର୍ମୀମାନଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି।
ତେଣେ ଟିକେଟ ମିଳିବା ଆଶାରେ ଡାକ୍ତର ମନୋହର ସିଂ ନିଜ ଚାକିରିରୁ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିଥିଲେ। ସେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବୋଲି ଜଣାଯାଇଛି।
ସୂଚନଯୋଗ୍ୟ, ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପଞ୍ଜାବରେ ୮୬ ଆସନ ପାଇଁ କଂଗ୍ରେସ ଏହାର ପ୍ରାର୍ଥୀ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନି ଚମକୌର ସାହିବ ଆସନରୁ ନିର୍ବାଚନ ଲଢ଼ିବେ ଏବଂ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ଅମୃତସର ପୂର୍ବ ଆସନରୁ ନିର୍ବାଚନ ଲଢ଼ିବେ। ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂହ ରନ୍ଧୱାଙ୍କୁ ଡେରା ବାବା ନାନକ ଆସନରୁ ଟିକେଟ ମିଳିଛି।
ରାଜ୍ୟର ଅନ୍ୟ ଜଣେ ଉପମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ସୋନି ଅମୃତସର (କେନ୍ଦ୍ର) ଆସନରୁ ନିର୍ବାଚନ ଲଢ଼ିବେ। ପୂର୍ବତନ ରାଜ୍ୟ କଂଗ୍ରେସ ବିଭାଗ ଏବଂ ପ୍ରଚାର କମିଟି ମୁଖ୍ୟ ସୁନିଲ ଜାଖର ନିର୍ବାଚନ ଲଢ଼ିବେ ନାହିଁ। ତାଙ୍କ ପୁତୁରା ସନ୍ଦୀପ ଜାଖର ଅବୋହର ଆସନରୁ ନିର୍ବାଚନ ଲଢ଼ିବେ। ବଲିଉଡ ଅଭିନେତା ସୋନୁ ସୁଦ୍ଙ୍କ ଭଉଣୀ ମାଳବିକା ମୋଗା ଆସନରୁ ନିର୍ବାଚନ ଲଢ଼ିବେ। କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନେତୃତ୍ବରେ ହୋଇଥିବା ସିଇସି (କେନ୍ଦ୍ରୀୟ ନିର୍ବାଚନ କମିଟି) ବୈଠକରେ କଂଗ୍ରେସ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/ch.png)