ଗେହଲଟ୍ ସରକାର ୫ବର୍ଷ ପୂରଣ କରିପାରିବେ ନାଁ ନାହିଁ ସନ୍ଦେହ: ଗେହଲଟଙ୍କ ପରାମର୍ଶଦାତା

ଜୟପୁର: ରାଜସ୍ଥାନରେ ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପରାମର୍ଶଦାତା ସନ୍ୟମ ଲୋଧା ଆଜି ଏକ ବଡ଼ ବିବୃତି ଦେଇଛନ୍ତି। ଗେହଲଟଙ୍କ ସମର୍ଥିତ ସ୍ବାଧୀନ ବିଧାୟକ ସନ୍ୟମ ଲୋଧା ଗେହଲଟ୍ ସରକାରଙ୍କ ପାଞ୍ଚ ବର୍ଷ ପୂରଣକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି। ସିରୋହି ଜିଲ୍ଲାରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ସନ୍ୟମ ଲୋଧା କହିଛନ୍ତି ଯେ, ଯଦି ସରକାର ଜାନୁଆରି ପର୍ଯ୍ୟନ୍ତ କ୍ଷମତାରେ ରହନ୍ତି ତେବେ ରାଜ୍ୟରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରାଯିବ।  ଜାନୁଆରି ପୂର୍ବରୁ ଗେହଲଟ ସରକାର ଭାଙ୍ଗିପାରେ ବୋଲି ବିଧାୟକ ଲୋଧାଙ୍କ ଏଭଳି ବିବୃତି ପରେ ଆଶଙ୍କା କରାଯାଉଛି। ତେବେ ସରକାରଙ୍କ ପତନ ସମ୍ପର୍କରେ ବିଧାୟକ ସିଧାସଳଖ କିଛି କହି ନାହାଁନ୍ତି।

ବିଧାୟକ ସନ୍ୟମ ଲୋଧା ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଅତି ନିକଟତର ବୋଲି ବିବେଚନା କରାଯାଏ। ବିଧାନସଭା ନିର୍ବାଚନ  ୨୦୧୮ରେ ତାଙ୍କୁ କଂଗ୍ରେସ ପକ୍ଷରୁ ଟିକେଟ୍ ଦିଆନଯିବା ପରେ ସେ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ।

ତେବେ ରାଜସ୍ଥାନରେ ରାଜନୈତିକ ସଙ୍କଟ ମଧ୍ୟରେ ଦଳର ହାଇକମାଣ୍ଡ ଏକ ଆଡଭାଇଜରୀ ଜାରି କରିଛନ୍ତି। କିନ୍ତୁ ଗେହଲଟଙ୍କୁ ସମର୍ଥନ କରୁଥିବା ବିଧାୟକମାନେ ଏହାକୁ ଅନୁସରଣ କରୁନଥିବା ସାମ୍ନାକୁ ଆସିଛି। ଏସବୁ ମଧ୍ୟରେ ଚୁପ ଅଛନ୍ତି ସଚିନ ପାଇଲଟ୍। ରାଜସ୍ଥାନରେ ଗେହଲଟ୍-ପାଇଲଟ୍ କ୍ୟାମ୍ପ ମଧ୍ୟରେ କନ୍ଦଳ କାହାକୁ ଅଜଣା ନାହିଁ। ୨୦୨୦ ମସିହାରେ ପାଇଲଟ୍ କ୍ୟାମ୍ପର ବିଧାୟକମାନେ ବିଦ୍ରୋହ କରିଥିଲେ। ସେ ସମୟରେ ଏହାର ସମାଧାନ ହୋଇଥିଲେ ବି ପୁଣିଥରେ ରାଜସ୍ଥାନରେ ଗେହଲଟ୍ ଏବଂ ପାଇଲଟ କ୍ୟାମ୍ପ ମୁହାଁମୁହିଁ ହୋଇଛନ୍ତି।

ସମ୍ବନ୍ଧିତ ଖବର