ଶୀଘ୍ର ପୋଲାଭରମ୍ କାମ ସାର, ନିର୍ଦ୍ଦେଶ ଦେଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

ଅମରାବତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ ପୋଲାଭରମ ପ୍ରକଳ୍ପକୁ ନେଇ ସମୀକ୍ଷା କରିଛନ୍ତି | ଶୀଘ୍ର ଏହି ପ୍ରକଳ୍ପକୁ ସାରିବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ବର୍ତ୍ତମାନ ପୋଲାଭରମ କାର୍ଯ୍ୟ କେତେ ବାଟ ଆଗେଇଲାଣି ତାହାର ସମୀକ୍ଷା କରିବା ସହ କଣ ସବୁ ଆବଶ୍ୟକତା ରହିଛି ତାହାକୁ ନେଇ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ | ସମୀକ୍ଷା ବୈଠକ ପରେ ଜଳସେଚନ ବିଭାଗର ସଚିବ ଶଶୀ ଭୂଷଣ କୁମାର କହିଛନ୍ତି ଯେ ପୋଲାଭରମ ପ୍ରକଳ୍ପ ବାବଦକୁ ରାଜ୍ୟ ସରକାର ୧୧୫୩୭ କୋଟି ଟଙ୍କା ଖର୍ଚ୍ଚ କରିସାରିଲେଣି |

କେନ୍ଦ୍ର ୪୮୧୦ କୋଟି ଟଙ୍କା ଦେଇଛି | ସେହିପରି ଏହି ପ୍ରକଳ୍ପ ସାରିବାକୁ ହେଲେ ଅତିରିକ୍ତ ୧୨ ହଜାର କୋଟି ଟଙ୍କା ଆବଶ୍ୟକ ବୋଲି ସେ କହିଛନ୍ତି | ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଘୋଷଣା କରିଛନ୍ତି ଯେ କୌଣସି ପ୍ରକାର ଦୁର୍ନୀତିକୁ ପ୍ରଶୟ ଦିଆଯିବନାହିଁ | ସେହିପରି ଯେଉଁ ଅଧିକାରୀ ଭଲ କାମ କରିବେ ତାଙ୍କୁ ପୁରସ୍କାର ଦିଆଯିବ ବୋଲି ଜଗନ ସ୍ପଷ୍ଟ କରିଛନ୍ତି | କିଭଳି ଗୋଦାବରୀ ନଦୀର ପାଣିକୁ ସମୁଦ୍ରକୁ ନଛାଡି ସଂଚୟ କରି ରଖି ହେବ ତାହାର ଯୋଜନା ପ୍ରସ୍ତୁତ କରିବାକୁ ଜଗନ ନିର୍ଦ୍ଦେଶ ଦେଇଛନ୍ତି |

ଆସନ୍ତା ଜୁନ ୬ ତାରିଖରେ ପୁଣି ଥରେ ପୋଲାଭରମ ପ୍ରକଳ୍ପ ବାବଦରେ ଆଲୋଚନା କରାଯିବ ବୋଲି ଜଣାପଡିଛି | ଏଠାରେ ସୂଚନା ଥାଉ କି ପୋଲାଭରମ ପ୍ରକଳ୍ପକୁ ଓଡିଶା,ଛତିଶଗଡ଼ ଓ ତେଲେଙ୍ଗାନା ବିରୋଧ କରିଆସୁଛନ୍ତି | ଏହା ଦ୍ୱାରା ଓଡ଼ିଶାର ମାଲକାନଗିରି ଜିଲ୍ଲା ପ୍ରଭାବିତ ହେବ ବୋଲି ଓଡିଶା ସରକାର ଯୁକ୍ତି ବାଢି ଆସୁଛନ୍ତି |

ସମ୍ବନ୍ଧିତ ଖବର