ସାନିଟାଇଜରକୁ ନେଇ ରାଜନୀତି: ବୋତଲ ଉପରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ନେଇ ଆରମ୍ଭ ହେଲା ବିବାଦ
ନୂଆଦିଲ୍ଲୀ: କଂଗ୍ରେସର ନବ ନିର୍ବାଚିତ ରାଜ୍ୟସଭା ସାଂସଦ ଦୀପେନ୍ଦ୍ର ହୁଡା ବୁଧବାର ଦିନ ହରିୟାଣାରେ ବିଜେପି-ଜେଜେପି ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି | ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏବଂ ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତ ଚୌଟାଲାଙ୍କ ଫଟୋ ଲଗାଯାଇଥିବା ହ୍ୟାଣ୍ଡ ସାନିଟାଇଜର ବଣ୍ଟନ କରି କୋଭିଡ-୧୯ ମହାମାରୀ ସମୟରେ ମଧ୍ୟ ରାଜନୈତିକ ଫାଇଦା ପାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ସାଂସଦ ଦୀପେନ୍ଦ୍ର ହୁଡା । ସୋସିଆଲ ମିଡିଆରେ ହ୍ୟାଣ୍ଡ ସାନିଟାଇଜରର ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ମୁଖ୍ୟମନ୍ତ୍ରୀ ଖଟ୍ଟର ଏବଂ ଉପମୁଖ୍ୟମନ୍ତ୍ରୀ ଦୁଶ୍ୟାନ୍ତ ଚୌଟାଲାଙ୍କ ଫୋଟୋ ଲାଗିଥିବା ଦେଖାଯାଇଛି। ଏହି ପ୍ରସଙ୍ଗରେ ବିରୋଧୀମାନେ ଏବେ ହରିୟାଣା ସରକାରଙ୍କ ଉପରେ ଆଙ୍ଗୁଳି ଉଠାଇବା ଆରମ୍ଭ କରିଛନ୍ତି।
ଏହା ବ୍ୟତୀତ ‘ମୋଦୀ କିଟ୍’ର ଷ୍ଟିକର ଥିବା ଖାଦ୍ୟ ପ୍ୟାକେଟର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଦୀପେନ୍ଦ୍ର ହୁଡା କହିଛନ୍ତି ଯେ, ଏଭଳି ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ରାଜ୍ୟର ବରିଷ୍ଠ ନେତାମାନେ ରାଜନୈତିକ ଉଦ୍ଦେଶ୍ୟ ରଖି ଲୋକଙ୍କ ମଧ୍ୟରେ ସାମଗ୍ରୀ ବଣ୍ଟନ କରୁଛନ୍ତି। ହୁଡା ଅଭିଯୋଗ କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଖଟ୍ଟର ଏବଂ ଉପମୁଖ୍ୟମନ୍ତ୍ରୀ ଦୁଶ୍ୟନ୍ତଙ୍କ ଫଟୋ ଲଗାଇବା କାରଣରୁ ରାଜ୍ୟବାସୀଙ୍କୁ ସାନିଟାଇଜର ବଣ୍ଟନ କରିବାରେ ବିଳମ୍ବ ହୋଇଛି।

ସେ ଆହୁରି ମଧ୍ୟ କହିଛନ୍ତି, ‘ଏହି ସାନିଟାଇଜର ବୋତଲ ତିଆରି କରୁଥିବା କମ୍ପାନିକୁ ଏହି ଫଟୋ ସହିତ ଷ୍ଟିକର ଲଗାଇବାକୁ ବାଧ୍ୟ କରାଯାଇଥିଲା ଏବଂ ଧମକ ଦିଆଯାଇଥିଲା ବୋଲି ମୋ ପାଖରେ ବିଶ୍ୱସନୀୟ ସୂଚନା ରହିଛି | ସେମାନଙ୍କୁ ଧମକ ଦିଆଯାଇଥିଲା ଯେ, ଯଦି ସେମାନେ ତାହା ନକରନ୍ତି ତେବେ ସେମାନଙ୍କ ତିଆରି ଜିନିଷ ବଜାରକୁ ବିକ୍ରି ପାଇଁ ଯାଇ ପାରିବ ନାହିଁ | ସରକାରଙ୍କ ଏହି ଚାପ ଯୋଗୁଁ ସାନିଟାଇଜର ମିଳିବାରେ ଅତି କମରେ ଦୁଇ ତିନି ଦିନ ବିଳମ୍ବ ହୋଇଥିଲା।