ନିର୍ବାଚନ ପରବର୍ତ୍ତୀ ହିଂସାରେ ମୃତ୍ୟୁବରଣ କରିଥିବା ପୀଡ଼ିତଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବେ ଦିଦି

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ହୋଇଥିବା ହିଂସା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା | ତୃଣମୂଳ କଂଗ୍ରେସ ନିର୍ବାଚନ ଜିତିବା ପରେ ବିରୋଧୀ ଦଳ ବିଜେପି ନେତାମାନଙ୍କ ଉପରେ ଆକ୍ରମଣ କରିବା ସହ ହିଂସାରେ ବିଜେପିର ୧୪ଜଣ ଦଳୀୟ କର୍ମୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲା ବିଜେପି | ଏହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସମାଲୋଚନା କରାଯାଉଥିବା ବେଳେ ଦିଦି ଏକ ବଡ଼ ଘୋଷଣା କରିଛନ୍ତି | ନିର୍ବାଚନ ପରବର୍ତ୍ତୀ ହିଂସାରେ ମୃତ୍ୟୁବରଣ କରିଥିବା ସମସ୍ତ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ଦେବାକୁ ଘୋଷଣା କରିଛନ୍ତି ଦିଦି |

ଗଣମାଧ୍ୟମକୁ ସମ୍ବୋଧିତ କରି ମମତା ବାନାର୍ଜୀ ଘୋଷଣା କରିଛନ୍ତି ଯେ, ରାଜନୈତିକ ରଙ୍ଗ ନିର୍ବିଶେଷରେ ପ୍ରତ୍ୟେକ ପୀଡିତଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ପ୍ରଦାନ କରାଯିବ। ମୁଁ ଦେଖିପାରୁଛି ଯେ କେତେକ କେନ୍ଦ୍ରମନ୍ତ୍ରୀ ଏଠାକୁ ଦଙ୍ଗା ସୃଷ୍ଟି କରିବାକୁ ଆସୁଛନ୍ତି ଯେଉଁ ସମୟରେ ସମସ୍ତ ରାଜନୈତିକ କାର୍ଯ୍ୟକଳାପକୁ ବନ୍ଦ କରାଯାଇଛି। ନିର୍ବାଚନ ପରେ ସବୁବେଳେ କିଛି ଅଘଟଣ ଘଟେ ଏବଂ ସେଥିପାଇଁ ମୁଁ ମୋ ଜିତିବାର ଖୁସି ପାଳନ କରିନାହିଁ | ମୁଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାରେ ୨୪ଘଣ୍ଟା ନହେଉଣୁ କେନ୍ଦ୍ରରୁ ଟିମ ପଠା ଯିବା ସହ ମୋତେ ଚିଠି ଉପରେ ଚିଠି ପଠାଯାଉଛି | ଯେତେବେଳେ ଲୋକମାନେ ଅମ୍ଳଜାନ ପାଇବାରେ ବିଫଳ ହୁଅନ୍ତି, ସେତେବେଳେ ବିଜେପି ନେତାମାନେ ଏଠାକୁ ଆସନ୍ତି ନାହିଁ | ଯେତେବେଳେ ହାଥ୍ରାସ ଭଳି ଘଟଣା ଘଟେ ସେତେବେଳେ ସେମାନେ ଦଳ ପଠାନ୍ତି ନାହିଁ, କିନ୍ତୁ ସେମାନେ ଏବେ ପଶ୍ଚିମବଙ୍ଗକୁ ଦଳ ପଠାଇଛନ୍ତି |

post-poll violence in Bengal
indiatoday

ଶେଷରେ ସେ କହିଛନ୍ତି ଯେ, କିନ୍ତୁ ମୁଁ ଏହା କହିଦେବାକୁ ଚାହେଁ, ଯିଏ ବାହାରୁ ଆସୁଛନ୍ତି, ସେମାନଙ୍କ ପାଇଁ ଆରଟି- ପିସିଆର ପରୀକ୍ଷା ରିପୋର୍ଟ ବାଧ୍ୟତାମୂଳକ ହେବ | କୌଣସି କେନ୍ଦ୍ରୀୟ ମନ୍ତ୍ରୀ ସ୍ୱତନ୍ତ୍ର ବିମାନରେ ଆସୁଥିଲେ ମଧ୍ୟ ସେମାନଙ୍କୁ ଆରଟି- ପିସିଆର ପରୀକ୍ଷା ରିପୋର୍ଟ ଦେଖାଇବାକୁ ହେବ |

ସମ୍ବନ୍ଧିତ ଖବର