ଭୁବନେଶ୍ବର: ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱର୍ଗତଃ ମନମୋହନ ସିଂ ଦେଶର ଜଣେ ମହାନ୍ ବରପୁତ୍ର ଥିଲେ। ଅର୍ଥନୀତି କ୍ଷେତ୍ରରେ ତାଙ୍କର ଜ୍ଞାନ ଓ ଦକ୍ଷତା ପାଇଁ ସେ ସାରା ବିଶ୍ବରେ ସମ୍ମାନର ଅଧିକାରୀ ହୋଇ ପାରିଥିଲେ। ଅର୍ଥମନ୍ତ୍ରୀ ଭାବରେ ଦେଶର ଅର୍ଥନୀତିକୁ ସେ ଏକ ନୂଆ ଦିଗ ଦେଇଥିଲେ। ତାଙ୍କର ଉଦାର ଅର୍ଥନୈତିକ ନୀତି ଯୋଗୁ ଭାରତ ବିଶ୍ଵର ଏକ ପ୍ରମୁଖ ଅର୍ଥନୀତି ଭାବେ ଯାତ୍ରା ଆରମ୍ଭ କରିଥିଲା। ପ୍ରଧାନମନ୍ତ୍ରୀ ଭାବେ ସେ ବିଭିନ୍ନ କ୍ଷେତ୍ରରେ ଦେଶର ବିକାଶକୁ ତ୍ୱରାନ୍ୱିତ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଖବର ପଢ଼ନ୍ତୁ: ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ପରଲୋକ
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତାଙ୍କର ଜ୍ଞାନ, ଭଦ୍ରତା, ସାଧୁତା ଓ ଅମାୟୀକ ସ୍ଵଭାବ ତାଙ୍କ ପାଇଁ ରାଜନୀତି କ୍ଷେତ୍ରରେ ଭିନ୍ନ ଏକ ପରିଚୟ ସୃଷ୍ଟି କରିଥଲା।ପରଲୋକ ଗତ ଆତ୍ମାର ସଦଗତି କାମନା କରିବା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି।
ଏହି ଖବର ପଢ଼ନ୍ତୁ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଅସୁସ୍ଥ, ଏମ୍ସରେ ଭର୍ତ୍ତି
ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଶୋକ ଜଣାଇ ସାମାଜକ ଗଣମାଧ୍ୟମ ‘ଏକ୍ସ’ରେ କହିଛନ୍ତି, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ ଖବର ଶୁଣି ଆଘାତ ଲାଗିଛି। ସେ କେବଳ ଜଣେ ଭଲ ଲୋକ ସହିତ ବହୁତ ଭଲ ଅର୍ଥଶାସ୍ତ୍ରୀ ଥିଲେ। ଜଣେ ସରଳ ଓ ସଶକ୍ତ ବ୍ୟକ୍ତିତ୍ବ ତାଙ୍କ ପାଖରେ ଥିଲା। ଭଗବାନ ତାଙ୍କର ଆତ୍ମାକୁ ଶାନ୍ତି ପ୍ରଦାନକରନ୍ତୁ। ଶୋକସନ୍ତପ୍ତ ପରିବାରକୁ ଏହି କଠିନ ସମୟରେ ବଳ ଦିଅନ୍ତୁ।
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସ୍ବର୍ଗତଃ ମନମୋହନ ସିଂଙ୍କୁ ମନେ ପକାଇଛନ୍ତି। ଗଭୀର ଶୋକ ପ୍ରକାଶ କରିବା ସହିତ ଜଣେ ଅର୍ଥନୀତି ସଂସ୍କାରକ ବୋଲି କହିଛନ୍ତି।
Deeply saddened to learn about the passing away of former Prime Minister #ManmohanSingh. He has served the country illustriously in different capacities. The erudite and humble leader will be remembered as the architect of economic reforms which provided the foundation for the… pic.twitter.com/6DYivAjAG0
— Naveen Patnaik (@Naveen_Odisha) December 26, 2024
ଏହି ଖବର ପଢ଼ନ୍ତୁ: ମନ୍ତ୍ରୀଙ୍କୁ ୩୦ ଜିଲ୍ଲାର ଦାୟିତ୍ବ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ
ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି, ଏହା କେବଳ ମୋର ପାଇଁ ନୁହେଁ। ଦେଶବାସୀଙ୍କ ପାଇଁ ଏହା ଦୁଃଖଦ ଖବର। ଭାରତର ତଥା କଂଗ୍ରେସର ବରିଷ୍ଠ ନେତା ମନମୋହନ ସିଂହ ଆଉ ଆମ ଗହଣରେ ନାହାନ୍ତି। ଖାଦ୍ୟ ସୁରକ୍ଷା ଆଇନ୍ ଯେତେବେଳେ ପ୍ରସ୍ତୁତ ହେଉଥିଲା, ସେହି ସମୟରେ ସେ ସମୀକ୍ଷା କରୁଥିଲେ।
ଏହି ଖବର ପଢ଼ନ୍ତୁ: ବିଜେଡିର ପ୍ରତିଷ୍ଠା ଦିବସ: ଯୁବନେତ୍ରୀଙ୍କୁ ଚାପୁଡ଼ା, ଭଂଜନଗରରେ ଦଳ ଛାଡ଼ିଲେ ନେତା
ପୂର୍ବତନ ସାଂସଦ ପ୍ରଦୀପ ମାଝୀ କହିଛନ୍ତି, ମନମୋହନ ସିଂ ଜଣେ ବିରଳ ବ୍ୟକ୍ତିତ୍ବ। ତାଙ୍କୁ ଯେତେଥର ଭେଟିଛି, ସେ ଅତି ବିନମ୍ର ଭାବେ କଥାବାର୍ତ୍ତା କରିଥାନ୍ତି। ତାଙ୍କର ବ୍ୟବହାରରେ ଏକଦା ମୁଁ ଭାବବିହ୍ବଳ ହୋଇଯାଇଥିଲି।