ଭୁବନେଶ୍ବର: ଜବାହରଲାଲ୍ ନେହରୁ ବିଶ୍ବବିଦ୍ୟାଳୟରେ ରକ୍ତପାତ ଘଟଣାକୁ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ସେ ଏଥିଲାଗି ଟ୍ୱିଟ୍ କରି ଉଦବେଗ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ଏଭଳି ଘଟଣା ନିଶ୍ଚିତ ନିନ୍ଦନୀୟ ବୋଲି ବି ସେ ଉଲ୍ଲେଖ କରିଛନ୍ତି। ସେ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ପୁଲିସକୁ ନିବେଦନ କରିବା ସହିତ ଆହତ ଛାତ୍ରମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।
ସୂଚନାଯୋଗ୍ୟ,ଜବାହରଲାଲ୍ ନେହରୁ ବିଶ୍ବବିଦ୍ୟାଳୟ (ଜେଏନୟୁ)ରେ ଗତକାଲି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ସନ୍ଧ୍ୟାରେ ପ୍ରାୟ ୫୦ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଜେଏନ୍ୟୁ କ୍ୟାମ୍ପସରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହିତ ଆକ୍ରମଣ କରିଥିଲେ। ସେମାନଙ୍କ ଆକ୍ରମଣରେ ବହୁସଂଖ୍ୟକ ଛାତ୍ରଛାତ୍ରୀ ଓ ଅଧ୍ୟାପକ ମଧ୍ୟ ଆହତ ହୋଇଥିଲେ। ହାତରେ ରଡ୍ ଏବଂ ବାଡ଼ି ଧରିଥିବା ଏହି ଦୁର୍ବୃତ୍ତମାନେ ହଷ୍ଟେଲ ଭିତରେ ପଶି ଆକ୍ରମଣ କରିଥିଲେ । ଆକ୍ରମଣରେ ୨୮ ଜଣ ଗୁରୁତର ଭାବେ ଆହତ ହୋଇ ଏମ୍ସରେ ଭର୍ତି ହୋଇଥିଲେ। ଗୁରୁତର ଆହତଙ୍କ ମଧ୍ୟରେ ଛାତ୍ର ସଂସଦ ସଭାପତି ଐଶୀ ଘୋଷ୍ ବି ଅଛନ୍ତି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ପରିସ୍ଥିତିର ମୁକାବିଲା ଲାଗି ପୁଲିସକୁ କ୍ୟାମ୍ପସ ଭିତରେ ଓ ବାହାରେ ମୁତୟନ କରାଯାଇଛି। ଏହି ଆକ୍ରମଣ ପାଇଁ ଛାତ୍ର ସଂସଦ ଏବିଭିପିକୁ ଦାୟୀ କରିଛି। ଅନ୍ୟପକ୍ଷରେ ବାମପନ୍ଥୀ ଛାତ୍ରଙ୍କୁ ଦାୟୀ କରିଛି ଏବିଭିପି।
ମିଳିଥିବା ରିପୋର୍ଟ ଅନୁଯାୟୀ ଜେଏନୟୁ ଶିକ୍ଷକ ସଂଘର ବୈଠକ ଚାଲିଥିବା ବେଳେ ଦୁର୍ବୃତ୍ତମାନେ ଏଭଳି ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନଙ୍କୁ ଅଟକାଇବାକୁ ଚେଷ୍ଟା କରି ଅନେକ ପ୍ରଫେସର ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ପଶ୍ଚିମ ଗେଟ୍ ଦେଇ ୫୦ରୁ ଊର୍ଦ୍ଧ୍ବ ଦୁର୍ବୃତ୍ତ ମୁଖା ପିନ୍ଧି କ୍ୟାମ୍ପସ ମଧ୍ୟକୁ ପଶି ଆସି ପ୍ରଥମେ ଛାତ୍ର ସଂସଦ ସଭାପତିଙ୍କ ଉପରେ ଆକ୍ରମଣ କରିଥିଲେ। ସେମାନେ କ୍ୟାମ୍ପସ ମଧ୍ୟରେ ଭଙ୍ଗାରୁଜା ମଧ୍ୟ କରିଥିଲେ।
ଜେଏନୟୁରେ ରକ୍ତପାତ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଭୀର ଉଦବେଗ, କହିଲେ,‘ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ’
/sambad/media/post_attachments/wp-content/uploads/2020/01/Naveen-p.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)