ଜେଇଇ (ମେନ୍) ଏବଂ ନିଟ୍ ପରୀକ୍ଷାକୁ ଘୁଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ, କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଭୁବନେଶ୍ୱର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ଜେଇଇ (ମେନ୍) ଏବଂ ନିଟ୍ ପରୀକ୍ଷାକୁ ଘୁଞ୍ଚାଇବାକୁ ଅନୁରୋଧ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖ୍ରିଆଲ୍ ନିଶଙ୍କଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଚିଠି ଲେଖିଛନ୍ତି। ରାଜ୍ୟର ୫୦,୦୦୦ରୁ ଅଧିକ ଛାତ୍ରଛାତ୍ରୀ ନିଟ୍ ପରୀକ୍ଷା ଦେଉଥିବା ବେଳେ ୪୦,୦୦୦ରୁ ଅଧିକ ଛାତ୍ରଛାତ୍ରୀ ଜେଇଇ (ମେନ୍) ପରୀକ୍ଷା ଦେବେ। ଏଥଲାଗି ରାଜ୍ୟରେ ମାତ୍ର ୭ଟି ସହରରେ ପରୀକ୍ଷାକେନ୍ଦ୍ର କରାଯାଇଛି। ଫଳରେ ବହୁସଂଖ୍ୟକ ଛାତ୍ରଛାତ୍ରୀ ଏକତ୍ର ହେବେ ଓ କୋଭିହ୍ ସଂକ୍ରମଣ ଆଶଙ୍କା ବୃଦ୍ଧିପାଇବ ଏବଂ ମାହାମାରୀ ଦୃଷ୍ଟିରୁ ଏହା ବିପଦମୁକ୍ତ ନୁହେଁ। ତେଣୁ ପରୀକ୍ଷା ଘୁଞ୍ଚାଇବା ଜରୁରୀ।

ରାଜ୍ୟର ୩୦ଟି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ଖୋଲାଯିବାକୁ ଜାତୀୟ ପରୀକ୍ଷା ଏଜେନ୍ସିକୁ ନିର୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଭୌଗୋଳିକ ଦୃଷ୍ଟିରୁ କେତେକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅଛି, ସହରାଞ୍ଚଳ ପରୀକ୍ଷା କେନ୍ଦ୍ରଠାରୁ ବହୁ ଦୂରରେ| ରାଜ୍ୟର ଏହିପରି ଅଞ୍ଚଳର ଛାତ୍ରମାନେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇପାରନ୍ତି | ଏହି ଛାତ୍ରମାନଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ବହୁ ଦୂର ଯାତ୍ରା କରିବାକୁ ପଡ଼ିବ | ଏବେ କରୋନା ସଂକ୍ରମଣ ହେତୁ ତାହା କଷ୍ଟକର ହେବ। ଏଣୁ ସେମାନେ ୨/୩ ଘଣ୍ଟା ଯାତ୍ରା କରି ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପରୀକ୍ଷା ଦେଇ ପୁଣି ସେହି ଦିନ ଯେପରି ଘରକୁ ଫେରିପାରିବେ, ସେଥିପ୍ରତି ଧ୍ୟାନ ଦିଆଯିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଏନଟିଏ ଯଥାକ୍ରମେ ସେପ୍ଟେମ୍ବର ୧ ରୁ ୬ ଏବଂ ସେପ୍ଟେମ୍ବର ୧୩ ରେ ବୈଷୟିକ ଏବଂ ଡାକ୍ତରୀ ପାଠ୍ୟକ୍ରମରେ ଆଡମିଶନ ପାଇଁ ଜେଇ (ମେନ୍) ଏବଂ ନିଟ୍ ପରୀକ୍ଷା କରିବାକୁ ଯୋଜନା କରିଛି | ଏହି ବର୍ଷ ଓଡ଼ିଶାର ୫୦ ହଜାରରୁ ଅଧିକ ଛାତ୍ର ନିଟରେ ଏବଂ ପ୍ରାୟ ୪୦ ହଜାର ଛାତ୍ରଛାତ୍ରୀ ଜେଇ (ମେନ୍) ପରୀକ୍ଷା ଦେବେ |

ସମ୍ବନ୍ଧିତ ଖବର