ଭାରତର ପ୍ରଧାନମନ୍ତ୍ରୀ ଏକ ଅନୁଷ୍ଠାନ, ଏହାର ଗରିମା ରକ୍ଷା ସବୁ ସରକାରଙ୍କ କର୍ତ୍ତବ୍ୟ : ନବୀନ

ଭୁବନେଶ୍ବର : ବୁଧବାର ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ହୋଇଥିବା ତ୍ରୁଟିକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଥିବାବେଳେ ଏହି ପ୍ରସଙ୍ଗରେ ଏକ ମହତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏକ ଟୁଇଟ କରି ସେ ଲେଖିଛନ୍ତି, “ଭାରତର ପ୍ରଧାନମନ୍ତ୍ରୀ ହେଉଛନ୍ତି ଏକ ଅନୁଷ୍ଠାନ । ଏହି ଅନୁଷ୍ଠାନର ଗରିମା ରକ୍ଷା କରିବା ସବୁ ସରକାରଙ୍କ କର୍ତ୍ତବ୍ୟ । ଏହାର ବିପରୀତ କୌଣସି କାର୍ଯ୍ୟ ଆଦୌ ଗ୍ରହଣୀୟ ନୁହେଁ ।“

କେବଳ ଓଡ଼ିଶା ମୁଖ୍ୟମନ୍ତ୍ରୀ ନୁହେଁ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସ୍ବାଭାବିକ ଭାବେ ଏହି ଘଟଣାକୁ ନେଇ ରୋଷ ପ୍ରକଟ କରିଛନ୍ତି । ତେବେ କେତେକ ଅଣ-ବିଜେପି ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ନିନ୍ଦା କରିଛନ୍ତି ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଏହି ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ କଂଗ୍ରେସ ମୋଦୀଙ୍କ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିଲା ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ବିଭ୍ରାଟ ଏକ ଗୁରୁତର ଘଟଣା ଅଟେ । ଦେଶର ଦୁଇ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଓ ରାଜୀବ ଗାନ୍ଧିଙ୍କ ହତ୍ୟା ହୋଇଯାଇଛି । ଏହାପରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଏସପିଜି ହାତକୁ ଯାଇଛି ।

 

ସମ୍ବନ୍ଧିତ ଖବର