ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଭେଟିବାକୁ ପର୍ବତ ଉପରେ ୧୧ ଘଣ୍ଟା ଚାଲି ଚାଲି ୨୪ କିଲୋମିଟର ଯାତ୍ରା କଲେ ଅରୁଣାଚଳ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ

ଇଟାନଗର: ସମ୍ପ୍ରତି ନିଜ ନିର୍ବାଚନ ମଣ୍ଡଳୀ ମୁକ୍ତୋ ଗସ୍ତରେ ଥିବା ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ତାୱାଙ୍ଗ୍‌ ଜିଲ୍ଲା ଅନ୍ତର୍ଗତ ଏକ ସୁଦୂର ଗ୍ରାମରେ ବସବାସ କରୁଥିବା ଜନସାଧାରଣଙ୍କୁ ଭେଟିବାକୁ ଦୀର୍ଘ ୧୧ ଘଣ୍ଟା କାଳ ପର୍ବତ ଉପରେ ଚାଲି ଚାଲି ୨୪ କିଲୋମିଟର୍ ଅତିକ୍ରମ କରିଛନ୍ତି।

ତାୱାଙ୍ଗ୍‌ରୁ ୯୭ କିଲୋମିଟର୍ ଦୂର ଏହି ଗାଁ ‘ଲୁଗୁଥାଙ୍ଗ୍’ରେ ପହଞ୍ଚିବାକୁ ୪୧ ବର୍ଷିୟ ମୁଖ୍ୟମନ୍ତ୍ରୀଙ୍କୁ ବଣପାହାଡ଼ ଅତିକ୍ରମ କରିବାକୁ ପଡ଼ିଥିଲା।

ଗୁରୁବାର ଦିନ ତାୱାଙ୍ଗ୍‌ ଫେରିବା ପରେ ଖଣ୍ଡୁ ଟୁଇଟ୍‌ କରି ଲେଖିଥିଲେ, ୧୬୦୦୦ ଫୁଟ୍‌ ଉଚ୍ଚ କାର୍ପୁ-ଲା ଅତିକ୍ରମ କରି ୧୪, ୫୦୦ ଫୁଟ୍‌ ଉଚ୍ଚରେ ଥିବା ‘ଲୁଗୁଥାଙ୍ଗ୍‌’କୁ ଯାତ୍ରା କରିବା ଥିଲା ବଡ଼ କଷ୍ଟସାଧ୍ୟ।

ତାୱାଙ୍ଗ୍‌ ଜିଲ୍ଲାର ଥିଙ୍ଗ୍‌ବୁ ତହସିଲ୍ ଅନ୍ତର୍ଗତ ସମୁଦ୍ର ପତ୍ତନ ଠାରୁ ୧୪, ୫୦୦ ଫୁଟ୍‌ ଉଚ୍ଚରେ ଅବସ୍ଥିତ ଗାଁରେ ଥିବା ସମୁଦାୟ ୧୦ଟି ଘରେ ରହନ୍ତି ୫୦ଜଣ ଲୋକ।

ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି ଲେଖିଛନ୍ତି, ସୀମାନ୍ତ ଅଞ୍ଚଳରେ ଦଣ୍ଡାୟମାନ ଶେଷ ଲୋକଟି ପର୍ଯ୍ୟନ୍ତ ଫ୍ଲାଗ୍‌ସିପ୍ ପ୍ରୋଗ୍ରାମ୍‌ର ସମସ୍ତ ସୁବିଧା ‌ପହଞ୍ଚୁଛି ବୋଲି ସୁନିଶ୍ଚିତ ହେବାକୁ ଲୁଗୁଥାଙ୍ଗ୍ ଗ୍ରାମବାସୀଙ୍କ ସହ ସମୀକ୍ଷା ବୈଠକ କରିଥିଲୁ।

ରାସ୍ତା ନ ଥିବା ସେ ଗାଁକୁ ଗଲାବେଳେ ଦୃଷ୍ଟିଆକର୍ଷଣକାରୀ କାର୍ପୂ-ଲା ପର୍ବତ ଓ ବାଟରେ ପଡୁଥିବା କେତେକ ପ୍ରାକୃତିକ ହ୍ରଦ ଅତିକ୍ରମ କରିବାକୁ ପଡୁଥିବାରୁ ଯାତ୍ରା ସମୟରେ ଜଣେ ବଶୀଭୂତ ହୋଇଯିବା ପରି ମନେକରିବ।

Image Courtesy of The New Indian Express

ତହିଁ ଆରଦିନ ମୁଖ୍ୟମନ୍ତ୍ରୀ ଖଣ୍ଡୁଙ୍କ ସମେତ ତାୱାଙ୍ଗ୍ ବିଧାୟକ ସେରିଙ୍ଗ୍ ତାସି, ଗ୍ରାମବାସୀ ଓ ତାୱାଙ୍ଗ୍ ମଠର ଭିକ୍ଷୁମାନେ ଜଙ୍ଗଚୁପ ସ୍ତୂପର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ। ସ୍ତୂପଟି ଖଣ୍ଡୁଙ୍କ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦୋର୍‌ଜୀ ଖଣ୍ଡୁଙ୍କ ଉଦ୍ଦେଶ୍ୟରେ ସ୍ଥାପନ କରାଯାଇଛି। ୨୦୧୧ ମସିହା ଏପ୍ରିଲ୍ ୩୦ ତାରିଖ ଦିନ ସେ ତାୱାଙ୍ଗ୍‌ ରୁ ଇଟାନଗର ଯିବା ସମୟରେ ଲୁଗୁଥାଙ୍ଗ୍ ଗାଁ ନିକଟରେ ହେଲିକପ୍ଟର୍ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।

ପୁଣି ପାର୍ବତ୍ୟ ରାସ୍ତା ଦେଇ ଫେରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଜଣେ ଗ୍ରାମବାସୀଙ୍କ ଘରେ ଦୁଇ ରାତି ଅବସ୍ଥାନ କରିଥିଲେ। ଲୁଗୁଥାଙ୍ଗ୍ ଗ୍ରାମର ଅଧିକାଂଶ ବାସିନ୍ଦା ହେଉଛନ୍ତି ଚମରୀଗାଈ ପାଳକ ଯାଜାବର ଶ୍ରେଣୀୟ ‘ବ୍ରୋକ୍‌ପାସ’ ସମ୍ପ୍ରଦାୟର ବ୍ୟକ୍ତିବିଶେଷ।

ଚମରୀଗାଈଙ୍କ ଲାଗି ଚାରଣ ପଡ଼ିଆ ଖୋଜି ସେମାନେ ହିମାଳୟର ଉଚ୍ଚସ୍ଥାନରେ ଗ୍ରୀଷ୍ମକାଳ ଅତିବାହିତ କରିନ୍ତି ଓ ଭୀଷଣ ଶୀତ କାଳରେ ନିମ୍ନାଞ୍ଚଳକୁ ଚାଲି ଆସନ୍ତି।

 

 

 

ସମ୍ବନ୍ଧିତ ଖବର