‘ମୁଁ ଜଣେ ଦଳିତ ହୋଇଥିବାରୁ ତିନି ଥର ମୁଖ୍ୟମନ୍ତ୍ରୀ ହେବାରୁ ବଞ୍ଚିତ ହୋଇଛି’: ଅଭିଯୋଗ ଆଣିଲେ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଜି.ପରମେଶ୍ୱର

ବେଙ୍ଗାଲୁର: କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର ରାଜ୍ୟର ଦାବଣଗେରେରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଅଭିଯୋଗ ଆଣି କହିଛନ୍ତି କି ସେ ଜଣେ ଦଳିତ ହୋଇଥିବା ହେତୁ ତାଙ୍କୁ ୩ ଥର ମୁଖ୍ୟମନ୍ତ୍ରୀ ହେବାରୁ ବଞ୍ଚିତ ହେବାକୁ ପଡ଼ିଛି। କେବଳ ସେ ନୁହଁନ୍ତି ପିକେ ବଶବଲିଂଗପା ଓ କେଏଚ୍‌ ରଂଗନାଥ ମଧ୍ୟ ଏହି କାରଣରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇପାରି ନାହାନ୍ତି।

ସେ ଆହୁରି ବି କହିଛନ୍ତି ଯେ ‘ମୋ ବଡ଼ ଭାଇ ମଲ୍ଲିକାର୍ଜୁନ ଖର୍ଗେ ମଧ୍ୟ ଏହି କାରଣରୁ ମୁଖ୍ୟମନ୍ତ୍ରୀ ବନି ପାରିନଥିଲେ। ମୁଁ ତିନି ଥର ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ହରାଇଛି। ଯାହା ବି ହେଉ, ଅନେକ ଦ୍ୱିଧା ପରେ ଶେଷରେ ମୁଁ ଉପମୁଖ୍ୟମନ୍ତ୍ରୀ ବନିଲି।’ ସେ ଅଭିଯୋଗ ଆଣି କହିଛନ୍ତି ଯେ କିଛି ଲୋକେ ତାଙ୍କୁ ରାଜନୈତିକ କ୍ଷେତ୍ରରେ ଦୁର୍ବଳ କରିବାକୁ ଚାହିଁଥିଲେ।

ପରମେଶ୍ୱରଙ୍କର ଏହି ଅଭିଯୋଗକୁୁ ଅସ୍ୱୀକାର କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା। ସେ ଜୋର୍‌ ଦେଇ କହିଛନ୍ତି ଯେ ଶାସକ ଦଳ କଂଗ୍ରେସ ଦଳିତମାନଙ୍କ ପାଇଁ ଅନେକ ପଦକ୍ଷେପ ନେଇଛି। ଏହି ଅଭିଯୋଗ ଭିତ୍ତିହୀନ।

ଗଣମାଧ୍ୟମରେ ମତ ରଖି ସିଦ୍ଧରମୟା କହିଛନ୍ତି, ‘ଦଳିତ ଓ ସମାଜର ଅନ୍ୟ ପଛୁଆ ବର୍ଗଙ୍କ ସକାଶେ କଂଗ୍ରେସ ଦଳ ହିଁ ଅନେକ ପଦକ୍ଷେପ ନେଇଛି। ସେ କ’ଣ ଚିନ୍ତା କରି ଏପରି ଅଭିଯୋଗ ଆଣିଛନ୍ତି ମୁଁ ଜାଣେନା। ଭଲ ହେବ ଏକଥା ଆପଣ ସିଧାସଳଖ ତାଙ୍କୁ ପଚାରନ୍ତୁ।’

ସମ୍ବନ୍ଧିତ ଖବର