ଦୁଇ ଥର ଇସ୍ତଫା ଦେବାକୁ ଚେଷ୍ଟା କଲେଣି ଉଦ୍ଧବ ଠାକରେ, ହେଲେ…

ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଦୁଇଥର ଇସ୍ତଫା ଦେବାକୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଷ୍ପତ୍ତି ନେଇଥିଲେ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଦୁଇ ଥର ଏନସିପି ନେତା ଶରଦ ପାୱାର ତାଙ୍କୁ ରୋକିଥିଲେ ବୋଲି ଜଣାପଡ଼ିଛି। ସୂଚନାନୁସାରେ, ଜୁନ୍ ୨୧ରେ, ଯେତେବେଳେ ୨୧ବିଦ୍ରୋହୀ ବିଧାୟକ ସୁରଟ ଯାଇଥିଲେ ଏବଂ ସେମାନଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା, ସେତେବେଳେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ ଠାକରେ। କିନ୍ତୁ ଏନସିପି ନେତା ଶରଦ ପାୱାର ତାଙ୍କୁ ଏହା କରିବାକୁ ଦେଇ ନଥିଲେ।

ଏହା ପରେ ଜୁନ୍ ୨୭ ଅର୍ଥାତ ଆଜି ମଧ୍ୟରେ ଉଦ୍ଧବ ଠାକରେ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିବା ସହ ସନ୍ଧ୍ୟା ୫ଟାରେ ସୋସିଆଲ ମିଡିଆରେ ଏହାର ଘୋଷଣା କରିବେ ବୋଲି ଚିନ୍ତା କରିଥିଲେ। ହେ‌ଲେ ଏନସିପି ମୁଖ୍ୟ ଶରଦ ପାୱାର ଉଦ୍ଧବ ଠାକରେଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ନଦେବାକୁ ରାଜି କରାଇଥିଲେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

ଏହା ପୂର୍ବରୁ ଜୁନ୍ ୨୨ରେ ଠାକରେ କହିଥିଲେ ଯେ, ସେନାର କିଛି ବିଧାୟକମାନେ ଗୌହାଟୀରୁ ସୁରଟ ଯାଇଛନ୍ତି। ଯଦି ମୋର ମୁଖ୍ୟମନ୍ତ୍ରୀ ହେବାରେ ସେମାନଙ୍କର ସମସ୍ୟା ଥାଏ, ତେବେ ମୁଁ ବର୍ତ୍ତମାନ ଇସ୍ତଫା ଦେବା ପାଇଁ ପ୍ରସ୍ତୁତ। କୌଣସି ପଦବୀ ପାଇଁ ମୋର କୌଣସି ଲାଳସା ନାହିଁ। ମୋତେ ଶରଦ ପାୱାର ମୁଖ୍ୟମନ୍ତ୍ରୀ ହେବାକୁ କହିଥିଲେ ବୋଲି ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛି। ମୁଁ ମୁଖ୍ୟମନ୍ତ୍ରୀ ଭାବରେ ମୋର ଦାୟିତ୍ୱ ପୂରଣ କରିଛି ଏବଂ ମୋର ଇସ୍ତଫା ପତ୍ର ଏବେ ପ୍ରସ୍ତୁତ ଅଛି। ଯଦି ସେମାନେ (ବିଦ୍ରୋହୀମାନେ) ମୋତେ ମୁଖ୍ୟମନ୍ତ୍ରୀ ଭାବରେ ଚାହାଁନ୍ତି ନାହିଁ, ତେବେ ସେମାନେ ଆସି ମୋତେ ମୁହାଁମୁହିଁ କହିବା ଉଚିତ୍‌। ଟ୍ବିଟର କିମ୍ବା ଫେସବୁକ୍‌ ମାଧ୍ୟମରେ ନୁହେଁ।’

ସମ୍ବନ୍ଧିତ ଖବର