ନୂଆଦିଲ୍ଲୀ: କାଶୀରୁ ଗତ ୧୦୦ବର୍ଷ ପୂର୍ବେ ଚୋରି ହୋଇଥିବା ମା’ ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି ପୁଣିଥରେ ସ୍ଥାପନା କରାଯିବ। ଏହି ମୂର୍ତ୍ତିର ପ୍ରାଣପ୍ରତିଷ୍ଠା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନଭେମ୍ବର ୧୫ ତାରିଖରେ କାଶୀରେ କରିବେ।
ଯୋଗୀ ଆଦିତ୍ୟନାଥଙ୍କ କହିବାନୁସାରେ, କାଶୀରୁ ପାଖାପାଖି ୧୦୦ବର୍ଷ ହେବ ମା’ ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି ଚୋରି ହୋଇଯାଇଥିଲା। ଏହା କୌଣସି ପ୍ରକାରେ କାନ୍ନଡାର ଏକ ୟୁନିଭର୍ସିଟିରେ ପହଞ୍ଚିଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଚେଷ୍ଟା ଫଳରେ ମା’ ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି ଭାରତ ସରକାରଙ୍କୁ ହସ୍ତାନ୍ତର କରାଯାଇଥିଲା। ଏହି ମୂର୍ତ୍ତିକୁ କାଶୀ ଅଣାଯିବ।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତିକୁ ନଭେମ୍ବର ୧୧ରେ ଦିଲ୍ଲୀରୁ ଅଲିଗଡ଼କୁ ନିଆଯିବ, ସେଠାରୁ ନଭେମ୍ବର ୧୨ରେ କନ୍ନୌଜକୁ ନିଆଯିବ ଓ ଏହା ନଭେମ୍ବର ୧୪ରେ ଅଯୋଧ୍ୟାରେ ପହଞ୍ଚିବ।
ଏହି ମୂର୍ତ୍ତି ଆସନ୍ତା ନଭେମ୍ବର ୧୫ରେ ବାରାଣାସିରେ ପହଞ୍ଚିବ। ଯେଉଁଠି ଉପଯୁକ୍ତ ରୀତିନୀତି ପରେ ଏହି ମୂର୍ତ୍ତିକୁ କାଶୀ ବିଶ୍ୱନାଥ ମନ୍ଦିରରେ ରଖାଯିବ। ମା’ ଅନ୍ନପୂର୍ଣ୍ଣାଙ୍କ ଏହି ମୂର୍ତ୍ତି ଦେଖିବାକୁ ଧଳା ରଙ୍ଗର ରହିଛି। ମା’ ଅନ୍ନପୂର୍ଣ୍ଣାଙ୍କ ଏହି ପ୍ରାଚୀନ ମୂର୍ତ୍ତିରେ ଗୋଟିଏ ହାତରେ ଅନ୍ନ ଓ ଦ୍ବିତୀୟ ହାତରେ ଦୁଗ୍ଧ ଧରିଥିବା ଦେଖିବାକୁ ମିଳୁଛି। କାନ୍ନଡାରୁ ମା’ ଅନ୍ନପୂର୍ଣ୍ଣାଙ୍କ ଏହି ମୂର୍ତ୍ତି ଫେରାଇ ଆଣିବା କଥା ଗତବର୍ଷ ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନକି ବାତ’ କାର୍ଯ୍ୟକ୍ରମରେ କହିଥିଲେ।
ସଂସ୍କୃତି ମନ୍ତ୍ରଣାଳୟ କହିଛି ଯେ ୧୯୭୬ ପରେ ୫୫ଟି ମୂର୍ତ୍ତି ଭାରତକୁ ଫେରାଇ ଅଣାଯାଇଛି। ଏହାମଧ୍ୟରୁ ୨୦୧୪ ପରେ ୪୨ଟି ମୂର୍ତ୍ତି ଦେଶକୁ ଅଣାଯାଇଛି ଓ ଏଥିରେ ଅନ୍ନପୂର୍ଣ୍ଣାଙ୍କ ମୂର୍ତ୍ତି ନୁଆ ଅଟେ।