ଲକ୍ଷ୍ନୌ: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ପରିବାରକୁ ଭେଟିଲେ ୟୁପି ମୁଖ୍ୟମନ୍ତ୍ରୀ । ତାଙ୍କ ସରକାରୀ ବାସଭବନରେ ଶୁଭାଂଶୁଙ୍କ ବାପା, ମାଆ ଓ ଭଉଣୀଙ୍କୁ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଦେଶ ପାଇଁ, ରାଜ୍ୟ ପାଇଁ ଗର୍ବ ଆଣିଥିବା ସୁନାପୁଅ ଶୁଭାଂଶୁଙ୍କ ପରିବାର ଲୋକଙ୍କୁ ଭବ୍ୟ ସ୍ବାଗତ କରିବା ସହ ସେମାନଙ୍କୁ ଉପହାର ଦେଇ ଶୁଭେଚ୍ଛା ଜଣାଇଛନ୍ତି ।

Advertisment

ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ହେବା ପରେ ଶୁଭାଂଶୁଙ୍କ ବାପା ଶମ୍ଭୁ ଶୁକ୍ଳା କହିଛନ୍ତି- ପୁଅ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରି ଭଲ ଲାଗିଲା। ଗତକାଲି ଉତକ୍ଷେପଣ ଏବଂ ଆଜି ଡକିଂ ସଫଳତାର ସହିତ ହୋଇଛି । ଆମେ ଖୁସି ଅଛୁ ପୁଅର ମିଶନ ସଫଳତାର ସହିତ ଚାଲିଛି । ମୁଖ୍ୟମନ୍ତ୍ରୀ ଆମ ପୁଅକୁ ଆଶୀର୍ବାଦ କରିଛନ୍ତି ଏବଂ ଆମକୁ ଶୁଭେଚ୍ଛା ଜଣାଇଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ ହୋଇଥିବାରୁ ଆମେ ଖୁସି ଅନୁଭବ କରୁଛୁ। ଏହା ଆମ ପାଇଁ ଏକ ଗର୍ବର ମୁହୂର୍ତ୍ତ... ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । 

ସେହିପରି ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିବା ପରେ ଶୁଭାଂଶୁଙ୍କ ମାଆ ଆଶା ଶୁକ୍ଳା କହିଛନ୍ତି, ଆମେ ବହୁତ ଖୁସି। ଆମ ପୁଅ ଯୋଗୁଁ ଆମେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରିଲୁ । ମୁଖ୍ୟମନ୍ତ୍ରୀ ଆମକୁ ଅଭିନନ୍ଦନ ଜଣାଇଥିଲେ । ଆମେ ତାଙ୍କ ପ୍ରତି ହୃଦୟର ସହିତ କୃତଜ୍ଞତା ଜଣାଇଲୁ । ସେ ଆମ ପୁଅର ପ୍ରଶଂସା କଲେ । ଯେଉଁଥି ପାଇଁ ଆମେ ବହୁତ ଗର୍ବିତ ଅନୁଭବ କରୁଛୁ । ପୁଅ ପାଇଁ ଆଜି ଆମେ ନୂଆ ପରିଚୟ ପାଇଛୁ ।