ସୋନଭଦ୍ର ହତ୍ୟାକାଣ୍ଡ ପାଇଁ କଂଗ୍ରେସ-ସମାଜବାଦୀର ନେତାମାନେ ଦାୟୀ, ଦଣ୍ଡ ପାଇବାକୁ ପ୍ରସ୍ତୁତ ରୁହ: ଯୋଗୀ

ଲକ୍ଷ୍ନୌ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସୋନଭଦ୍ର ହତ୍ୟାକାଣ୍ଡ ପାଇଁ କଂଗ୍ରେସ ଓ ସମାଜବାଦୀ ପାର୍ଟିର ନେତାମାନଙ୍କୁ ରବିବାର ଦାୟୀ କରିଛନ୍ତି। ସେ କହିଛନ୍ତି, ଯେଉଁମାନେ ଏହି ଘଟଣା ସହିତ ଜଡ଼ିତ ଅଛନ୍ତି, ସେମାନେ ସଜା ପାଇବାକୁ ପ୍ରସ୍ତୁତ ରୁହନ୍ତୁ। ସୋନଭଦ୍ର ଜିଲ୍ଲାର ଉମ୍ଭା ଗ୍ରାମରେ ବୁଧବାର ଜମି ବିବାଦକୁ କେନ୍ଦ୍ର କରି ଗୁଳିକାଣ୍ଡ ଘଟିଥିଲା। ଏହି ଘଟଣାରେ ମୋଟ ୧୦ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଆହୁରି କିଛି ଲୋକ ଆହତ ହୋଇଥିଲେ। ଆହତ ମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଜି ଆହତ ମାନଙ୍କୁ ହସ୍‌ପିଟାଲରେ ଭେଟିବା ସହିତ ଘଟଣାରେ ନିଜର ଆତ୍ମିୟଙ୍କୁ ହରାଇଥିବା ପରିବାରକୁ ଯୋଗୀ ଭେଟି ଅଭିଯୁକ୍ତମାନଙ୍କ ବିପକ୍ଷରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଯୋଗୀ କହିଛନ୍ତି, ଘଟଣା ସହିତ ଜଡ଼ିତ ଅଭିଯୁକ୍ତ ମାନେ କୁମ୍ଭୀର କାନ୍ଦଣା କରୁଛନ୍ତି। ଏହି ଘଟଣା ଆର୍ଥିକ କାରବାରକୁ ଆଖି ଠାରୁଛି। ଯେଉଁ ଲୋକମାନେ ଏହି ପାପ କାମରେ ସାମିଲ ଅଛନ୍ତି, ସେମାନେ ସମାଜବାଦୀ ପାର୍ଟି ସହିତ ଆର୍ଥିକ କାରବାର ସଂପୃକ୍ତ ଅଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସାମ୍ବାଦିକଙ୍କର ପ୍ରଶ୍ନରେ ଯୋଗୀ କହିଛନ୍ତି, କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ନେତା ଏହି ପାପ କର୍ମ ପାଇଁ ଦାୟୀ ଏବଂ ସେମାନଙ୍କୁ ସଜା ମିଳିବ।

ସମ୍ବନ୍ଧିତ ଖବର