କାଉଡ଼ିଆଙ୍କ ଉପରେ ପୁଷ୍ପ ବର୍ଷା କ‌ଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଦିନ ହେଲିକପ୍ଟରରୁ କାଉଡ଼ିଆଙ୍କ ଉପରେ ପୁଷ୍ପ ବର୍ଷା କରିଛନ୍ତି। ପୁଷ୍ପ ବର୍ଷା ସହ ମୁଖ୍ୟମନ୍ତ୍ରୀ ଯୋଗୀ ମଧ୍ୟ କାଉଡ଼ିଆମାନେ ଯାଉଥିବା ମାର୍ଗର ଯାଞ୍ଚ କରିଥିଲେ। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ହେଲିକପ୍ଟର ହରିଦ୍ୱାର ରାଜପଥରୁ ମୁଜାଫରନଗରର ରାମପୁର ତିରାହା ଦେଇ ଚୌକ ଉପର ଦେଇ ଯାଇଥିଲା। ମୁଖ୍ୟମନ୍ତ୍ରୀ ଯୋଗୀ ବସିଥିବା ଏହି ହେଲିକପ୍ଟରଟି ମିରଟର ସିବାୟା ଟୋଲ ପ୍ଲାଜାରେ ଥିବା ଅଘୌଡ଼ନାଥ ମନ୍ଦିରରେ ଫୁଲ ବର୍ଷା କରି ଏନସିଆର ଅଭିମୁଖେ ଯାତ୍ରା କରିଥିଲା।

ତେବେ ଆକାଶରୁ ଫୁଲ ପଡୁଥିବା ଦେଖି ଶିବଙ୍କ ଭକ୍ତମାନେ ହାତ ହଲାଇ ଯୋଗୀଙ୍କୁ ଅଭିବାଦନ ଜଣାଇଥିଲେ। ମୁଜାଫରନଗରର ଖ‌ତୌଲି ବାଇପାସରେ ମଧ୍ୟ ଶିବ ଭକ୍ତଙ୍କ ଉପରେ ପୁଷ୍ପ ବର୍ଷା କରାଯାଇଥିଲା। ଏଭଳି ହଠାତ ଆକାଶରୁ ପୁଷ୍ପ ବର୍ଷା ହେବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ସୋମବାର ଦିନ ଦୁଇ ଦିନିଆ ଦିଲ୍ଲୀ ଗସ୍ତରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ପଶ୍ଚିମ ଉତ୍ତରପ୍ରଦେଶ ଯାଇ ବୋଲବମ ଯାତ୍ରାର ତଦାରଖ କରିଥିଲେ ଏବଂ କାଉଡିଆମାନଙ୍କ ଉପରେ ଫୁଲ ବର୍ଷା କରିଥିଲେ।

ତେବେ ଏହା ପୂର୍ବରୁ ଶ୍ରାବଣ ମାସକୁ ଆଖି ଆଗରେ ରଖି ଖୋଲା ସ୍ଥାନରେ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ।କରୋନା କାରଣରୁ ଦୁଇ ବର୍ଷ ଧରି ବନ୍ଦ ହୋଇଯାଇଥିବା ବୋଲବମ୍ ଯାତ୍ରା ଚଳିତ ବର୍ଷ ପୁଣି ଆରମ୍ଭ ହୋଇଛି। ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା କରିବା ବ୍ୟତୀତ ୟୁପି ସରକାର ଏହି ଯାତ୍ରା ପାଇଁ ନିର୍ମିତ ମାର୍ଗରେ ଖୋଲା ସ୍ଥାନରେ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବାକୁ ପଦକ୍ଷେପ ନେଇଥିଲେ।

ସମ୍ବନ୍ଧିତ ଖବର