ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବରରେ ଦେଶରେ ବେକାରୀ ସ୍ଥିତିରେ ଅବନତି ହୋଇଛି। ବେକାରି ହାର ୧୦.୦୫ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ସେପ୍ଟେମ୍ବରରେ ୭.୦୯ ପ୍ରତିଶତ ଥିଲା। ବର୍ତ୍ତମାନର ବେକାରୀ ସ୍ଥିତି ଗତ ଦୁଇ ବର୍ଷରେ ସବୁଠୁ ଖରାପ ସ୍ତରରେ ରହିଛି। ଗ୍ରାମାଞ୍ଚଳରେ ବେକାରୀ ହାର ବଢ଼ିଛି ବୋଲି ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍‌ଆଇଇ) ତଥ୍ୟରୁ ଜଣାପଡ଼ିଛି। ଗ୍ରାମାଞ୍ଚଳରେ ବେକାରୀ ହାର ୧୦.୮୨ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ସେପ୍ଟେମ୍ବରରେ ୬.୨ ପ୍ରତିଶତ ଥିଲା। ସେହି ସମୟରେ ସହରାଞ୍ଚଳରେ ବେକାରୀ ହାର ୮.୪୪ ପ୍ରତିଶତ ହୋଇଛି।

Advertisment

ଚଳିତ ବର୍ଷ ମୌସୁମୀ ବର୍ଷା ଗତ ପାଞ୍ଚ ବର୍ଷ ଭିତରେ ସବୁଠୁ ଦୁର୍ବଳ ହୋଇଥିବାରୁ ଫସଲ ଉତ୍ପାଦନ ପ୍ରଭାବିତ ହେବା ଆଶଙ୍କା ରହିଛି। କିନ୍ତୁ ସହରାଞ୍ଚଳରେ ଅର୍ଥନୈତିକ କାର୍ଯ୍ୟକଳାପ ଜୋରସୋରରେ ଆଗେଇ ଚାଲିଥିବାରୁ ସ୍ଥିତି ଅପେକ୍ଷାକୃତ ଉନ୍ନତ ରହିଛି। ଗତ ମାସରେ ‌କେନ୍ଦ୍ର ସରକାର ଜାରି କରିଥିବା ତଥ୍ୟ ଅନୁସାରେ ୨୦୨୨-୨୩ରେ ବେକାରୀ ହାର ୩.୨ ପ୍ରତିଶତ ଥିଲା। ମାତ୍ର ଘରୋଇ ସଂସ୍ଥା ସିଏମ୍‌ଆଇଇ ୧,୭୦,୦୦୦ରୁ ଅଧିକ ପରିବାରକୁ ନେଇ କରୁଥିବା ସର୍ବେକ୍ଷଣ ଆଧାରରେ ବେକାରୀର ମାସିକ ତଥ୍ୟ ଜାରି କରୁଛି। ଭାରତୀୟ ଅର୍ଥନୀତି ୬% ହାରରେ ଆଗକୁ ବଢ଼ୁଥିବା ବେଳେ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇରହିଥିଲେ ମଧ୍ୟ ଲୋକମାନଙ୍କ ପାଇଁ ଆବଶ୍ୟକ ନିଯୁକ୍ତି ସୃଷ୍ଟି ହୋଇପାରୁନାହିଁ। ସିଏମ୍‌ଆଇଇ ତଥ୍ୟରୁ ଜଣାପଡ଼ିଛି ଯେ ଅକ୍ଟୋବରରେ ୧୦ ନିୟୁତ ଲୋକ ନିଯୁକ୍ତି ବଜାରରେ ପ୍ରବଶ କରିବା ଥିବା ବେଳେ ସେମାନେ କାମ ଖୋଜୁଛନ୍ତି।