ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀରେ ଗୁରୁବାର ଦିନ ସିଏନଜିର ମୂଲ୍ୟ କିଲୋଗ୍ରାମ ପିଛା ୨.୫୦ ଟଙ୍କା ଏବଂ ପାଇପ୍‌ ରନ୍ଧନ ଗ୍ୟାସ୍‌ କିଲୋଗ୍ରାମ ପିଛା ୪.୨୫ ଟଙ୍କା ବୃଦ୍ଧି ପାଇଛି।

Advertisment

ଜାତୀୟ ରାଜଧାନୀ ଏବଂ ଏହାର ଆଖପାଖ ସହରରେ ସିଏନଜି ଏବଂ ପାଇପ୍‌ ଲାଇନ ଜରିଆରେ ରନ୍ଧନ ଗ୍ୟାସ୍‌ ଯୋଗାଉଥିବା ଖୁଚୁରା ବ୍ୟବସାୟ କରୁଥିବା ସଂସ୍ଥା ଇନ୍ଦ୍ରପ୍ରସ୍ଥ ଗ୍ୟାସ୍‌ ଲିମିଟେଡ୍‌ (ଆଇଜିଏଲ୍‌)ର ୱେବସାଇଟ୍‌ରେ ପୋଷ୍ଟ କରାଯାଇଥିବା ସୂଚନା ଅନୁଯାୟୀ ଦିଲ୍ଲୀର ଜାତୀୟ ରାଜଧାନୀ ଅଞ୍ଚଳରେ ସିଏନଜିର ମୂଲ୍ୟ ବର୍ତ୍ତମାନ କିଲୋଗ୍ରାମ ପିଛା ଦର ଏବେ ୭୧.୬୧ ଟଙ୍କା ରହିଛି, ଯାହା ପୂର୍ବରୁ କିଲୋଗ୍ରାମ ପିଛା ୬୯.୧୧ ଟଙ୍କା ଥିଲା। ସିଏନଜି କ୍ଷେତ୍ରରେ ଚଳିତ ମାସରେ ଏହା ହେଉଛି ତୃତୀୟ ଏବଂ ମାର୍ଚ୍ଚ ୭ ପରଠାରୁ ୧୧ ତମ ମୂଲ୍ୟ ବୃଦ୍ଧି।

ମୋଟ ଉପରେ, ସିଏନଜି ମୂଲ୍ୟ ଛଅ ସପ୍ତାହରୁ କମ୍‌ ସମୟ ମଧ୍ୟରେ କିଲୋଗ୍ରାମ ପିଛା ୧୫.୬୦ ଟଙ୍କା ବୃଦ୍ଧି ପାଇଛି। ଏଥିରେ କେବଳ ଏହି ମାସରେ କିଲୋଗ୍ରାମ ପିଛା ୭.୫୦ ଟଙ୍କା ବୃଦ୍ଧି ଅନ୍ତର୍ଭୁକ୍ତ। ଗତ ଏକ ବର୍ଷ ମଧ୍ୟରେ ସିଏନଜି ମୂଲ୍ୟ କିଲୋଗ୍ରାମ ପିଛା ୨୮.୨୧ ଟଙ୍କା ଅର୍ଥାତ୍‌ ୬୦ ପ୍ରତିଶତ ବୃଦ୍ଧି ପାଇଛି। ଏହା ସହିତ ପାଇପ୍‌ ଲାଇନ୍‌ରେ ଘରକୁ ଯୋଗା ଯାଉଥିବା ଗ୍ୟାସ୍‌ ଦର କିଲୋଗ୍ରାମ ପିଛା ୪.୨୫ ଟଙ୍କା ବୃଦ୍ଧି ପାଇ ଏବେ ୪୫.୮୬ ଟଙ୍କାରେ ପହଞ୍ଚିଛି।

ଗତ ବର୍ଷ ଅକ୍ଟୋବରରୁ ଗ୍ୟାସ୍‌ ବିତରକମାନେ ପର୍ଯ୍ୟାୟକ୍ରମେ ମୂଲ୍ୟ ବୃଦ୍ଧି କରୁଛନ୍ତି। ୨୦୨୧ର ଶେଷ ତିନି ମାସରେ କିଲୋଗ୍ରାମ ପିଛା ମୂଲ୍ୟ ୮.୭୪ ଟଙ୍କା ବୃଦ୍ଧି ପାଇଥିଲା ଏବଂ ଜାନୁଆରିରୁ ପ୍ରାୟ ପ୍ରତି ସପ୍ତାହରେ କିଲୋଗ୍ରାମ ପିଛା ପ୍ରାୟ ୫୦ ପଇସା କ୍ରମାଗତ ଭାବେ ବୃଦ୍ଧି ପାଇ ଆସୁଥିଲା। ଅପ୍ରେଲ ୧ରୁ ସରକାର ପ୍ରାକୃତିକ ଗ୍ୟାସର ମୂଲ୍ୟକୁ ଦୁଇଗୁଣରୁ ଅଧିକ କରି ନିୟୁତ ବ୍ରିଟିଶ ଥର୍ମାଲ ୟୁନିଟ୍‌ ପିଛା ୬.୧ ଡଲାରକୁ ବୃଦ୍ଧି କରିବା ପରେ ଏହି ହାର ବୃଦ୍ଧି ପାଇଛି।