ସାମ୍ବାଦିକ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତିଙ୍କୁ ପ୍ରଶ୍ନ ପଚାରିବା ମହଙ୍ଗା ପଡ଼ିଲା, ବାତିଲ୍‌ ହେଲା ହ୍ଵାଇଟ ହାଉସ୍‌ ପ୍ରେସ୍‌ ପାସ୍‌

ଓ୍ଵାସିଂଟନ୍‌: ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ସହ ଏକ ସାମ୍ବାଦିକ ସମ୍ମିଳନୀରେ ସିଏନ୍‌ଏନ୍‌ ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ଜିମ୍‌ ଆକୋଷ୍ଟାଙ୍କର କଥା କଟାକଟି ହେବା ପରେ ହ୍ଵାଇଟ ହାଉସ୍‌ ପକ୍ଷରୁ ତାଙ୍କର ପ୍ରେସ୍‌ ପାସ୍‌ (ପ୍ରବେଶାନୁମତି)କୁ ବାତିଲ୍‌ କରାଯାଇଛି।

ହ୍ଵାଇଟ ହାଉସ୍‌ରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିମ୍‌ ଆକୋଷ୍ଟା ରାଷ୍ଟ୍ରପତି-ଟ୍ରମ୍ପଙ୍କୁ ପ୍ରବାସୀ କାରାଭାନମାନେ ଅନୁପ୍ରବେଶ ଲାଗି ଆମେରିକୀୟ ଦକ୍ଷିଣସୀମା ନିକଟବର୍ତ୍ତୀ ହେଉଥିବା ଦେଖି ପ୍ରଶ୍ନ ପଚାରିଥିଲେ। ଏହାକୁ ନେଇ ସ୍ପଷ୍ଟ ଉତ୍ତର ନ ରଖି ଅସନ୍ତୋଷ ପ୍ରକାଶ କରିଥିଲେ ରାଷ୍ଟ୍ରପତି ଟ୍ରମ୍ପ। ଏହାପରେ ଏ ସଂପର୍କିତ ଆଉ ଏକ ପ୍ରଶ୍ନ ପଚାରିବାକୁ ଉଦ୍ୟମ କରୁଥିବା ବେଳେ ରାଷ୍ଟ୍ରପତି ଟ୍ରମ୍ପ ‘ବହୁତ ହୋଇଗଲା’ ବୋଲି କହି ତାଙ୍କୁ ଏଡାଇ ଯାଇଥିଲେ। ଏହାପରେ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଜନୈକ ମହିଳା କର୍ମଚାରୀ ଜିମ୍‌ଙ୍କ ହାତରୁ ମାଇକ୍ରୋଫୋନ୍‌ ଟାଣି ନେବା ଲାଗି ଉଦ୍ୟମ କରିଥିଲେ। ମାତ୍ର ଆକୋଷ୍ଟା ତାଙ୍କୁ ‘କ୍ଷମା କରନ୍ତୁ’ କରି ଅଟକାଇଥିଲେ।

ଏହାପରେ ରାଷ୍ଟ୍ରପତି ଟ୍ରମ୍ଫପୋଡିୟମ୍‌ ସାମ୍ନାରୁ ବାହାରି ଆସିଥିଲେ। ତେବେ ଆକୋଷ୍ଟା ତାଙ୍କ ଆସନରେ ବସିବା ପରେ ଟ୍ରମ୍ପ ପୁଣି ପୋଡିୟମ୍‌ ନିକଟକୁ ଫେରିଆସିଥିଲେ ଓ ଅନ୍ୟ ସାମ୍ବାଦିଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ।

ଏହି ଘଟଣା ପରେ ହ୍ଵାଇଟ୍‌ ହାଉସ୍‌ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ସିଏନ୍‌ଏନ୍‌ ପ୍ରତିନିଧି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ମହିଳା କର୍ମଚାରୀଙ୍କୁ କର୍ତ୍ତବ୍ୟ ସଂପାଦନରେ ବାଧା ଦେବା ଅଭିଯୋଗ କରାଯାଇ ତାଙ୍କର ପ୍ରେସ ପାସ ବାତିଲ୍‌ ହୋଇଥିବା ପ୍ରକାଶ କରାଯାଇଛି।

ସମ୍ବନ୍ଧିତ ଖବର