ମୁମ୍ବାଇ: ଆତ୍ମହତ୍ୟା କରିବାକୁ ପ୍ରେରିତ କରିଥିବା ମାମଲା ରୁଜୁ ହେବାରୁ ଅଭିନେତ୍ରୀ ତୁନୀଶା ଶର୍ମାଙ୍କ ସାଥୀ-ଅଭିନେତା ଶୀଜାନ୍‌ ମହମ୍ମଦ୍‌ ଖାଁଙ୍କୁ ଗିରଫ କରାଯାଇଥିବା ଆଜି ପୁଲିସ କହିଛି। ସୋମବାର ଦିନ ତାଙ୍କୁ ଅଦାଲତରେ ହାଜର କରାଯିବ।

Advertisment

ସୂଚନାଯୋଗ୍ୟ, ଶନିବାର ଦିନ ମହାରାଷ୍ଟ୍ରର ପାଲଘର ଜିଲ୍ଲା ଅନ୍ତର୍ଗତ ବସଈ ନଗରୀରେ ଏକ ଟେଲିଭିଜନ୍‌ ସୋ’ ସେଟ୍‌ରେ ଅଭିନେତ୍ରୀ ତୁନୀଶା ଶର୍ମା ଆତ୍ମହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଥିଲା।

ଆଜି ମୁମ୍ବାଇର ଜେ.ଜେ. ହସ୍ପିଟାଲ୍‌ରେ ତାଙ୍କ ଶବ ବ୍ୟବଚ୍ଛେଦ କରାଯାଇଥିବା କଥା ପୁଲିସସୂତ୍ରରୁ ପ୍ରକଶ। ପୁଲିସ ଅଧିକାରୀମାନେ କହିଛନ୍ତି, ୪/୫ଜଣ ପୁଲିସ କର୍ମଚାରୀଙ୍କ ଉପସ୍ଥିତିରେ ପାହାନ୍ତ ୪.୩୦ ପର୍ଯ୍ୟନ୍ତ ତୁନୀଶାଙ୍କ ଶବ ବ୍ୟବଚ୍ଛେଦ ଚାଲିଥିଲା। ତାଙ୍କ ଶବକୁ ‘କୋଲ୍‌ଡ୍‌ ଷ୍ଟୋରେଜ୍‌’ରେ ରଖାଯାଇଛି।

publive-image Image Courtesy of ABP

ସଂଗୃହୀତ ତଥ୍ୟ ଅନୁସାରେ, ‘ଆଲି ବାବା: ଦାସ୍ତାନ୍‌-ଏ-କାବୁଲ୍‌’ ସୁଟିଙ୍ଗ୍‌ ଚାଲିଥିବା ବେଳେ ଚା’ପାନ ବିରତି ବେଳେ ୨୦ ବର୍ଷୀୟ ଅଭିନେତ୍ରୀ ତୁନୀଶା ୱାସ୍‌ରୁମ୍‌ରେ ଫାଶୀ ଦେଇ ଓହଳି ଥିବା ଦେଖାଯାଇ ଥିଲା। ଦୀର୍ଘ ସମୟ ଧରି ସେ ୱାସ୍‌ରୁମ୍‌ରୁ ନ ବାହାରିବାରୁ ଆମେ କବାଟ ଭାଙ୍ଗିଲୁ ବୋଲି ୱାଲିବ୍‌ ପୁଲିସ କହିଛି। ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ସୁଟିଙ୍ଗ୍‌ କ୍ରୁ’ ତୁନୀଶାଙ୍କୁ ଡାକ୍ତରଖାନାକୁ ନେଇଥିଲେ। ସେ ମୃତା ବୋଲି ସେଠାରେ ଘୋଷଣା କରାଯାଇଥିଲା।

ତୁନୀଶା ଆତ୍ମହତ୍ୟା କରିଥିବା କଥା ସହକର୍ମୀମାନେ କହିଥିଲେ ବି ପୁଲିସ ଘଟଣାସ୍ଥଳରେ ତଦନ୍ତ କରିଥିଲା ଏବଂ ସେଠାରୁ ‘ସୁସାଇଡ୍‌ ନୋଟ୍‌’ ମିଳି ନ ଥିବା କଥା କହିଥିଲା। ହତ୍ୟା ଓ ଆତ୍ମହତ୍ୟା ଦୃଷ୍ଟିକୋଣରୁ ସେମାନେ ଏହି ଘଟଣାର ତଦନ୍ତ କରିବେ ବୋଲି କହିଥିଲେ।

ଅଭିନେତ୍ରୀ ତୁନୀଶାଙ୍କ ମାଆ ଅଭିଯୋଗ ଦାଏର କରିବା ପରେ ଶୀଜାନ୍‌ ମହମ୍ମଦ୍‌ ଖାଁଙ୍କୁ ଗିରଫ କରାଯାଇଛି। ‘ଆଲି ବାବା: ଦାସ୍ତାନ୍‌-ଏ-କାବୁଲ୍‌’ରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲେ।