ସହକର୍ମୀଙ୍କୁ ଦୁଷ୍କର୍ମ ମାମଲା: କୋଏମ୍ବାଟୁର ବାୟୁସେନା ଅଧିକାରୀ ଗିରଫ

କୋଏମ୍ବାଟୁର: ଜଣେ ସହକର୍ମୀଙ୍କୁ ଦୁଷ୍କର୍ମ ଅଭିଯୋଗରେ କୋଏମ୍ବାଟୁର ଏୟାରଫୋର୍ସ କଲେଜରେ ତାଲିମ ନେଉଥିବା ବାୟୁସେନା ଅଧିକାରୀ ଗିରଫ ହୋଇଛନ୍ତି। କୋଏମ୍ବାଟୁରସ୍ଥିତ ଇଣ୍ଡିଆନ ଏୟାରଫୋର୍ସ କଲେଜ ଇନ୍‌ ରେଡଫିଲ୍ଡସ୍‌ରେ ଗତ ଅଗଷ୍ଟ ମାସରେ ସମଗ୍ର ଦେଶରୁ ୩୦ ଜଣ ଏୟାରଫୋର୍ସ ଅଫିସର ତାଲିମ ପାଇଁ ଯାଇଥିଲେ। ସେମାନଙ୍କ ମଧ୍ୟରେ ଥିବା ଜନୈକା ମହିଳା ଅଧିକାରୀ ଚଳିତ ମାସ ୧୦ ତାରିଖରେ ବାସ୍କେଟ ବଲ୍‌ ଖେଳୁଥିବା ବେଳେ ଆହତ ହୋଇଥିଲେ। ଅଧିକ ବିଶ୍ରାମ ଦରକାର ଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଶୋଇବା ପୂର୍ବରୁ ନିଦ ଔଷଧ ସେବନ କରିଥିଲେ। ରାତି ଅଧରେ ତାଙ୍କ ନିଦ ଭାଙ୍ଗିବାବେଳକୁ ସେ ନଗ୍ନ ଅବସ୍ଥାରେ ଥିବା ଜାଣିପାରି ଥିଲେ। ସେ ବିଚଳିତ ହୋଇ ପଡ଼ିଥିଲେ। ବିଛଣାରୁ ଉଠି ସେ ଦେଖନ୍ତି ଅଭିଯୁକ୍ତ ବାୟୁସେନା ଅଧିକାରୀ ଉଲଗ୍ନ ଅବସ୍ଥାରେ ଚଟାଣରେ ଶୋଇଛନ୍ତି। ତା’ପରେ ମହିଳା ଅଧିକାରୀଜଣଙ୍କ ଘଟଣା ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଇଥିଲେ। କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବାରୁ ସେ ବାଧ୍ୟ ହୋଇ କୋଏମ୍ବାଟୁର ସହର ପୁଲିସ କମିସନରଙ୍କ ସହ ଆଲୋଚନା କରିବା ପରେ ଗାନ୍ଧିପୁରମ୍‌ ଅଖିଳ ମହିଳା ପୁଲିସରେ ଦୁଷ୍କର୍ମ ମାମଲା ରୁଜୁ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ବାୟୁସେନା ଅଧିକାରୀଙ୍କୁ ଗିରଫ କରି ରବିବାର ସକାଳେ କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ଜେଲ୍‌ ପଠାଇ ଦିଆଯାଇଛି।

ସମ୍ବନ୍ଧିତ ଖବର