ମୁମ୍ବାଇ: ଟିମ୍‌ର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ ହେବା ପରେ ଗୌତମ ଗମ୍ଭୀର ଭାରତୀୟ ଦଳ ପାଇଁ ଏକ ସ୍ପଷ୍ଟ ଏବଂ ସାହସିକ ବାର୍ତ୍ତା ଦେଇଛନ୍ତି। ଆଘାତ ଏବଂ କାର୍ଯ୍ୟଭାର ପରିଚାଳନା ଉପରେ ଧ୍ୟାନ ଦେଇ ଗମ୍ଭୀର ତିନିଟି ଫର୍ମାଟ୍ କ୍ରିକେଟ୍‌ ଖେଳିବାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଗମ୍ଭୀର କହିଛନ୍ତି ଯେ ଯଦି ତୁମେ ଖେଳରେ ଭଲ ତ ସବୁ ଫର୍ମାଟରେ ଖେଳିବାକୁ ଚେଷ୍ଟା କର।

Advertisment

ରାହୁଲ ଦ୍ରାବିଡଙ୍କ କୋଚିଂ କାର୍ଯ୍ୟକାଳ ଶେଷ ହେବା ପରେ ଗମ୍ଭୀରଙ୍କୁ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରାଯାଇଥିଲା। ବିସିସିଆଇ ସଚିବ ଜୟ ଶାହା ଏହି ଘୋଷଣା 'ଏକ୍ସ'ରେ କରିଥିଲେ। ଏହି ନିଷ୍ପତ୍ତିକୁ ଭାରତୀୟ କ୍ରିକେଟ୍ ଟିମ୍‌ ଖୁସିର ସହ ସ୍ୱାଗତ କରିଥିଲା। ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବରେ ଗମ୍ଭୀରଙ୍କ ପ୍ରଥମ କାର୍ଯ୍ୟ ହେଉଛି ଶ୍ରୀଲଙ୍କା ଗସ୍ତ।

ଜୁଲାଇ ୨୬ ତାରିଖରୁ ଟିମ୍ ଇଣ୍ଡିଆ ୩ ଟି -୨୦ ଏବଂ ୩ଟି ଏକ ଦିନିକିଆରେ ଭାଗ ନେବ। ଗମ୍ଭୀର ୫ଟି ଆଇସିସି ଇଭେଣ୍ଟରେ ଭାରତୀୟ ଦଳକୁ ପ୍ରଶିକ୍ଷଣ ଦେବେ। ଗମ୍ଭୀର ଅନୁଭବ କରିଛନ୍ତି ଯେ ଆଘାତ ଜଣେ ଖେଳାଳୀ ଜୀବନର ଏକ ଅଂଶ ଏବଂ ଜଣେ ଖେଳାଳୀକୁ ସେ ସବୁକୁ ଅଣଦେଖା କରି ସମସ୍ତ ତିନୋଟି ଫର୍ମାଟରେ ଅଂଶଗ୍ରହଣ କରିବାକୁ ପଡ଼ିବ।

ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ପୂର୍ବତନ ଓପନର୍ ଗୌତମ ଗମ୍ଭୀର ନିଯୁକ୍ତି ପାଇ ସାରିଥିଲେ ମଧ୍ୟ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ପ୍ରଶିକ୍ଷକଙ୍କୁ ନେଇ ଏବେବି ସ୍ଥିତି ଅସ୍ପଷ୍ଟ ରହିଛି। ଗମ୍ଭୀର ତାଙ୍କ ପସନ୍ଦର ସହଯୋଗୀ ପ୍ରଶିକ୍ଷକ ଚାହୁଥିଲା ବେଳେ ବିସିସିଆଇ ତାଙ୍କର କେତେକ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବାର ଖବର ଏବେ କିନ୍ତୁ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି।