ମାଏ ସାଇ, ଥାଇଲାଣ୍ଡ: ଦୁଇ ସପ୍ତାହ ହେବ ଗୋଟାଏ ଥାଇ ଗୁମ୍ଫାରେ ଅଟକି ରହିଥିବା ତରୁଣ ଫୁଟ୍ବଲ୍ ଟିମ୍ର ୨୫ ବର୍ଷିୟ କୋଚ୍ ବାଳକମାନଙ୍କର ପିତାମାତାଙ୍କୁ କ୍ଷମା ଯାଚନା କରିଛନ୍ତି। ତରବରରେ ଲେଖା ଯାଇଥିବା ତାଙ୍କର ଚିଟାଉ ଶନିବାର ଦିନ ଥାଇ ନେଭି ପ୍ରକାଶ କରିଛି।
ପ୍ରବଳ ବର୍ଷାର ସୂଚନା ଦିଆ ଯାଉଥିବା ବେଳେ ଗୁହା ମଧ୍ୟରେ ଜଳସ୍ତର ବୃଦ୍ଧି ଓ ଅମ୍ଳଜାନ ସ୍ତର ହ୍ରାସ ଯୋଗୁଁ ସମଗ୍ର ଥାଇବାସୀ ତରୁଣ ଫୁଟ୍ବଲ୍ ଟିମ୍ର ନିରାପଦ ବାହୁଡ଼ାକୁ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି।
ସୋମବାର ଦିନ ବୁଡ଼ାଳିମାନେ ପାଣିର କାଦୁଆ କୂଳରୁ ଉଦ୍ଧାର କରିଥିବା ଇକ୍କାପୋଲ୍ ଚାଣ୍ଟ୍ଓ୍ଵାଙ୍ଗ୍ ହିଁ ୧୧ ରୁ ୧୬ ବର୍ଷ ବୟସ୍କ ବାଳକମାନଙ୍କ ସହ ୯ ଦିନ ଧରି ରହିଥିବା ଏକମାତ୍ର ପ୍ରାପ୍ତ ବୟସ୍କ ଲୋକ।
ଶୁକ୍ରବାର ଦିନ ଜଣେ ବୁଡ଼ାଳିଙ୍କୁ ଦିଆ ଯାଇଥିବା ଏବଂ ଶନିବାର ଦିନ ଥାଇ ନେଭି ସିଲ୍ର ଫେସ୍ବୁକ୍ ପେଜ୍ରେ ପ୍ରକାଶିତ ସେ ଚିଟାଉରେ ଲେଖାଯାଇଛି: ପିତାମାତାମାନେ, ଏ ପର୍ଯ୍ୟନ୍ତ ସବୁ ପିଲା ଭଲରେ ଅଛନ୍ତି। ପିଲାମାନଙ୍କର ପାରୁପର୍ଯ୍ୟନ୍ତ ତତ୍ତ୍ୱ ନେବାକୁ ପ୍ରତିଶ୍ରୁତି ଦେଉଛି। ନୈତିକ ସହାୟତା ପାଇଁ ସମସ୍ତଙ୍କୁ ଧନ୍ୟବାଦ। ପିତାମାତାଙ୍କୁ ମୁଁ କ୍ଷମା ଯାଚନା କରୁଛି।
ଓ୍ଵାଇଲ୍ ବୋଆର୍ ବା ବଣ୍ୟ ବରାହ ନାମକ ସେ ଟିମ୍ର ସଦସ୍ୟମାନେ ମଧ୍ୟ ପକ୍ଷେ ହେବ ଗୁମ୍ଫା ବାହାରେ ପିଲାମାନଙ୍କ ଲେଉଟାଣିକୁ ଉତ୍କଣ୍ଠାରେ ଚାହିଁ ବସିଥିବା ସେମାନଙ୍କର ପରିବାରବର୍ଗଙ୍କୁ ମର୍ମସ୍ପର୍ଶୀ କଥା ଲେଖିଛନ୍ତି।
‘ବିୟୁ’ ଶ୍ରଦ୍ଧା ନାମ ଥିବା ବାଳକଟି ଲେଖିଛି: ବାପା ମାଆ, କିଛି ଚିନ୍ତାରେ ପଡ଼ିବ ନାହିଁ।
କୌଣସି ଦୋକାନୀ ପରିବାର ଜଣେ ପିଲା ଲେଖିଛି: ଦି’ ସପ୍ତାହ ହେବ ମୁଁ ଦୂରରେ ଅଛି କିନ୍ତୁ, ଫେରି ଯାଇ ତୁମକୁ ମାଲପତ୍ର ବିକାବିକିରେ ସହାୟତା କରିବି।
ଡୋମ୍ ବୋଲି ପିଲାଟିଏ ଲେଖିଛି: ମୁଁ ଏଠି ଭଲ ଅଛି, କିନ୍ତୁ ପାଗ ଟିକେ ଥଣ୍ଡାଳିଆ ଲାଗୁଛି।
କାଳେ ବନ୍ୟାପାଣି କର୍ତ୍ତୃପକ୍ଷମାନଙ୍କୁ ଅଚାନକ୍ ଗୁହା ଭିତରର ଅଙ୍କାବଙ୍କା ବାଟ ଦେଇ ବାଳକମାନଙ୍କୁ ବାହାର କରାଇବାକୁ ବାଧ୍ୟ କରିବ, ସେଥିପାଇଁ ସେମାନଙ୍କୁ ପାଣି ଭିତରକୁ କୁଦା ମାରିବା ତାଲିମ୍ ଦିଆଯାଉଛି।