ପାଟନା: ବିହାରର ବେତିୟାଠାରେ ଆଜି ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଟଳିଯାଇଛି। କୁହାଯାଉଛି ଯେ ଟ୍ରେନଟି ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଯାଇଛି | ମିଳିଥିବା ସୂଚନା ମୁତାବକ ବିହାରର ମୁଜାଫରପୁର ନରକଟିୟାଗଂଜର ବେତିୟାଠାରେ ସତ୍ୟାଗ୍ରହ ଏକ୍ସପ୍ରେସ ଟ୍ରେନର ଇଞ୍ଜିନ୍ ଏବଂ ବଗି ହଠାତ୍ ଅଲଗା ହୋଇ ଯାଇଥିଲା | ଆଉ ଏହାକୁ ନେଇ ଟ୍ରେନରେ ଥିବା ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଘଟଣାର ଖବର ପାଇବା ମାତ୍ରେ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ଗୁରୁବାର ଦିନ ସତ୍ୟାଗ୍ରହ ଟ୍ରେନରେ ଏକ ନୂତନ ବଗି ସଂଯୋଗ କରାଯାଇଥିଲା | ଆଜି, ରୋକ୍ସଲରୁ ମଜୁଲିଆରେ ଟ୍ରେନଟି ପହଞ୍ଚିବାକୁ ଥିବାବେଳେ ହଠାତ୍ ଇଞ୍ଜିନରୁ ପାଞ୍ଚଟି ବଗି ଅଲଗା ହୋଇଯାଇଥିଲା ଏବଂ ଟ୍ରେନର ଇଞ୍ଜିନ ଦ୍ରୁତ ବେଗରେ ଅନେକ କିଲୋମିଟର ଦୂରକୁ ଚାଲିଯାଇଥିଲା |
ଇଞ୍ଜିନରେ ଥିବା ଡ୍ରାଇଭର ଦୀର୍ଘ ସମୟ ପର୍ଯ୍ୟନ୍ତ ଅନୁଭବ କରିନଥିଲେ ଯେ କିଛି ବଗି ଟ୍ରେନରୁ ଅଲଗା ହୋଇଯାଇଛି | ତେବେ ସୌଭାଗ୍ୟବଶତଃ ପାଞ୍ଚଟି ବଗି ଇଞ୍ଜିନରୁ ଅଲଗା ହୋଇଯାଇଥିଲେ ବି ବଗିଗୁଡିକ ଲାଇନ୍ଚ୍ୟୁତ ହୋଇନଥିଲେ | ନଚେତ ଏକ ବଡ଼ ଦୁର୍ଘଟଣା ଘଟିଥାନ୍ତା | ଇଞ୍ଜିନରୁ ବଗିଗୁଡିକ ଅଲଗା ହୋଇଯାଇଥିବାର ଖବର ପାଇବା ପରେ ପୂର୍ବ କେନ୍ଦ୍ରୀୟ ରେଳବାଇର ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ବର୍ତ୍ତମାନ ଏହି ରେଳ ମାର୍ଗ ଦେଇ ଟ୍ରେନ ଚଳାଚଳ କିଛି ସମୟ ପାଇଁ ପ୍ରଭାବିତ ହୋଇଛି |