ପରୀକ୍ଷାରେ ଛାତ୍ରୀ ଫେଲ ହେବାରୁ କୋଚିଂ ସେଣ୍ଟର ଫେରାଇବ ସମ୍ପୂର୍ଣ୍ଣ ଫି

ନୂଆଦିଲ୍ଲୀ: ଶିକ୍ଷାକୁ ନେଇ ବ୍ୟବସାୟ ଏବେ ବଢ଼ିବାରେ ଲାଗିଛି | ମାଳମାଳ କୋଚିଂ ସେଣ୍ଟର ଆକର୍ଷଣୀୟ କ୍ୟାରିୟରର ସ୍ୱପ୍ନ ଦେଖାଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନିଜ ପ୍ରତି ଆକୃଷ୍ଟ କରାଇବାରେ ଲାଗିପଡିଛନ୍ତି | ତେବେ ବର୍ତ୍ତମାନ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ମିଛ ପ୍ରତିଶୃତି ଦେଇଥିବା କୋଚିଂ ସେଣ୍ଟର ହରଡ଼ଘଣାରେ ପଡିଯାଇଛି | ମିଳିଥିବା ସୂଚନା ମୁତାବକ ବାଙ୍ଗାଲୋରର ଏକ କୋଚିଂ ସେଣ୍ଟରରେ ପଢ଼ୁଥିବା ଜଣେ ୯ମ ଶ୍ରେଣୀର ଛାତ୍ରୀ ସ୍କୁଲ ପରୀକ୍ଷାରେ ଫେଲ ହୋଇଯାଇଥିଲେ | ଆଉ ଛାତ୍ରୀଙ୍କ ବାପା ତ୍ରିଲୋକ ଚାନ୍ଦ ଗୁପ୍ତା ଏନେଇ ଖାଉଟି ଅଦାଲତରେ ମାମଲା ରୁଜୁ କରିଥିଲେ |

ମାମଲାରେ ଛାତ୍ରୀଙ୍କ ବାପା ଉଲ୍ଲେଖ କରିଥିଲେ ଯେ, କୋଚିଂ ସେଣ୍ଟର ପକ୍ଷରୁ ଯାହା ପ୍ରତିଶୃତି ଦିଆଯାଇଥିଲା ତାହା ପୂରଣ କରାଯାଇନଥିଲା | ଅତିରିକ୍ତ କ୍ଲାସ ସାଙ୍ଗକୁ ନିୟମିତ କ୍ଲାସର କୋଚିଂ ସେଣ୍ଟର ଆଡ଼ମିସନ ପୂର୍ବରୁ ପ୍ରତିଶୃତି ଦେଇଥିଲା | ଆଉ ଝିଅର ଭବିଷ୍ୟତକୁ ଦେଖି ସେ କୋର୍ସ ଫି ବାବଦକୁ ୬୯ ହଜାର ଟଙ୍କା ଦାଖଲ ମଧ୍ୟ କରିଥିଲେ | ତେବେ କୋଚିଂ ସେଣ୍ଟର କର୍ତୃପକ୍ଷ ଅତିରିକ୍ତ କ୍ଲାସ ଛାଡ଼ନ୍ତୁ ନିୟମିତ କ୍ଲାସ କରିନଥିଲେ | ଯେଉଁଥିପାଇଁ ତାଙ୍କ ଝିଅ ଫେଲ ହୋଇଯାଇଥିବାର ବାପା ଅଭିଯୋଗ କରିଥିଲେ |

ଆଉ ଝିଅ ଫେଲ ହେବା ପରେ ବାପା ତ୍ରିଲୋକ ଗୁପ୍ତା ତାଙ୍କ ଟଙ୍କା ଫେରାଇବାକୁ ବାରମ୍ବାର କୋଚିଂ ସେଣ୍ଟରକୁ ଅନୁରୋଧ କରିଥିଲେ | ହେଲେ କେହି ବି ତାଙ୍କ କଥା ଶୁଣିନଥିଲେ | ଏହା ପରେ ସେ ଖାଉଟି ଅଦାଲତରେ ମାମଲା ରୁଜୁ କରିଥିଲେ | ଆଉ ଖାଉଟି ଅଦାଲତ ଏହାର ଶୁଣାଣି କରି କୋର୍ସ ଫି ସହ ମୋକଦ୍ଦମା ଖର୍ଚ୍ଚ ବାବଦକୁ ୫ ହଜାର ଟଙ୍କା ଦେବାକୁ ରାୟ ଶୁଣାଇଛନ୍ତି | ୬ ସପ୍ତାହ ମଧ୍ୟରେ ଏହି ଟଙ୍କା ଫେରାଇବାକୁ ଖାଉଟି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି |

ସମ୍ବନ୍ଧିତ ଖବର