କେୱାଇସି କଲ୍, ମେସେଜ୍ ପ୍ରତି ସତର୍କ କଲା ସିଓଏଆଇ

ନୂଆଦିଲ୍ଲୀ : କେୱାଇସି ନାମରେ ଯେଉଁ କଲ୍ କିମ୍ବା ‌ମେସେଜ୍ ଆସୁଛି ସେଥିପ୍ରତି ଧ୍ୟାନ ନଦେବାକୁ ମୋବାଇଲ୍ ଗ୍ରାହକମାନଙ୍କୁ ମୋବାଇଲ୍ ଅପରେଟର ସଂଘ ସିଓଏଆଇ ପରାମର୍ଶ ଦେଇଛି। ଏଭଳି ମେସେଜ୍ ଓ କଲ୍‌ ପ୍ରତି ସଂଘ ଲୋକମାନଙ୍କୁ ସତର୍କ କରାଇଛି। ସିମ୍‌ କାର୍ଡ ବ୍ଲକ୍ କରିଦେବା ଧମକ ଦେଇ କିଛି ଖଳ ପ୍ରକୃତିର ଲୋକ ଗ୍ରାହକମାନଙ୍କୁ କେୱାଇସି ନାମରେ ଫୋନ୍ କରୁଛନ୍ତି ଓ ସେମାନଙ୍କୁ ମେସେଜ୍ ପଠାଉଛନ୍ତି। ସେମାନେ ଯେଉଁଭଳି ଚାହୁଛନ୍ତି ଯଦି କେହି ସେହି ଅନୁସାରେ କାମ କରନ୍ତି ତେବେ ତାହା ସେମାନଙ୍କ ବ୍ୟକ୍ତିଗତ ଗୋପନୀୟତାର ଉଲ୍ଲଂଘନ ହେବ ଏବଂ ତାଙ୍କୁ ଆର୍ଥିକ କ୍ଷତି ମଧ୍ୟ ସହିବାକୁ ପଡ଼ିପାରେ ବୋଲି ସିଓଏଆଇ ତରଫରୁ କୁହାଯାଇଛି।

କଲ୍ କରୁଥିବା ଓ ମେସେଜ୍ ପଠାଉଥିବା ଲୋକମାନେ ନିଜକୁ କୌଣସି କଂପାନିର ପ୍ରତିନିଧି ଭାବେ ପରିଚୟ ଦେଉଛନ୍ତି। କେୱାଇସି ଅସମ୍ପୂର୍ଣ୍ଣ ରହିଛି, ଅଧାରେ ଅଟକି ରହିଛି କିମ୍ବା ବୈଧତା ଶେଷ ହୋଇଯାଇଥିବା ଭଳି ସେମାନେ ବାହାନା କରୁଛନ୍ତି। ଏକ ନିର୍ଦିଷ୍ଟ ନମ୍ବରକୁ କଲ୍ କରିବା କିମ୍ବା ଆପ୍‌ ଡାଉନ୍‌ଲୋଡ୍ କରିବା ଲାଗି ସେମାନେ ଗ୍ରାହକମାନଙ୍କୁ ବାଧ୍ୟ କରୁଛନ୍ତି ବୋଲି ସିଓଏଆଇର ଡାଇରେକ୍ଟର ଜେନେରାଲ୍ ଏସ୍‌ ପି କୋଚ୍ଚର କହିଛନ୍ତି। ସେଭଳି କଲ୍ କିମ୍ବା ମେସେଜ୍‌ ପ୍ରତି ଧ୍ୟାନ ଦେଲେ ଠକାମିର ଶିକାର ହେବାର ଆଶଙ୍କା ରହିଛି। ତେଣୁ ସେଥିରୁ ଦୂରେଇ ରହିବା ଲାଗି ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି।

କୌଣସି ପ୍ରକାର ଜାଲ୍ ମେସେଜ୍‌ର ଉତ୍ତର ନଦେବା, ଅଜଣା ନମ୍ବରକୁ କଲ୍‌ ନକରିବା ଏବଂ ଅଜଣା ଆପ୍ ଡାଉନ୍‌ଲୋଡ୍ ନକରିବା ଲାଗି ଲୋକମାନଙ୍କୁ କୁହାଯାଇଛି। ବିଶେଷ କରି ନିଜର ଗୁରୁତ୍ବପୂରର୍ଣ୍ଣ ତଥ୍ୟ କିମ୍ବା କାଗଜପତ୍ରର ନକଲ କାହା ପାଖକୁ ନପଠାଇବା ଲାଗି ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।

ଟେଲିକମ୍ କଂପାନି ପଠାଉଥିବା ମେସେଜ୍‌ର ଏକ ନିର୍ଦିଷ୍ଟ ମେସେଜ୍‌ ଆଇଡି ରହିଥାଏ। କେବଳ ସେହି ମେସେଜ୍‌ଗୁଡ଼ିକୁ ସତ ବିଚାର କରିବାକୁ କୁହାଯାଇଛି। ଜାଲ୍ କେୱାଇସି ମେସେଜ୍ ଓ କଲ୍ ପ୍ରତି ସତର୍କ ରହିବାକୁ ଭୋଡାଫୋନ୍ ଆଇଡିଆ ପକ୍ଷରୁ ଏହାର ଗ୍ରାହକମାନଙ୍କୁ ପରାମର୍ଶ ଦିଆଯାଇଥିଲା। କୌଣସି ଅଜଣା ଲିଙ୍କ୍‌ରେ କ୍ଲିକ୍‌ କଲେ ଫୋନ୍‌ରେ ଥିବା ତଥ୍ୟ ଚୋରି ହେବା ଏବଂ ଗମ୍ଭୀର ପରିଣାମ ଭୋଗିବାର ଆଶଙ୍କା ରହିଛି ବୋଲି କଂପାନି ଏହାର ଗ୍ରାହକମାନଙ୍କୁ କହିଥିଲା।

ସମ୍ବନ୍ଧିତ ଖବର