କୋଇଲା ବ୍ଲକ୍ ଆବଣ୍ଟନ ଦୁର୍ନୀତି ମାମଲା: ଦିଲୀପ ରାୟ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ଦିଲ୍ଲୀର ସ୍ବତନ୍ତ୍ର ସିବିଆଇ କୋର୍ଟ ଆଜି ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ୧୯୯୯ରେ ଝା଼ଡଖଣ୍ଡର ଗିରିଡିହ ସ୍ଥିତ ବ୍ରହ୍ମଡିହ କୋଇଲା ବ୍ଲକ ଆବଣ୍ଟନରେ ବ୍ୟାପକ ଅନିମିୟତା ଅଭିଯୋଗରେ ଦିଲୀପଙ୍କ ସମେତ କୋଇଲା ମନ୍ତ୍ରଣାଳୟର ତତ୍କାଳୀନ ଅତିରିକ୍ତ ସଚିବ ପ୍ରଦୀପ ବାନାର୍ଜୀ, ଓଏମ୍‌ସି ଉପଦେଷ୍ଟା (ପ୍ରକଳ୍ପ) ନିତ୍ୟାନନ୍ଦ ଗୌତମ, କାଷ୍ଟ୍ରାନ ଟେକନୋଲୋଜିର ନିର୍ଦ୍ଦେଶକ ମହେନ୍ଦ୍ର ଅଗ୍ରୱାଲଙ୍କୁ ଜଷ୍ଟିସ ଭରତ ପରାଶର ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମାମଲାର ରାୟ ପ୍ରଦାନ କରି ଦୋଷୀ ସାବ୍ୟସ୍ତ କରିଛନ୍ତି।

ବିଚାରପତି ତାଙ୍କର ରାୟରେ ଦିଲ୍ଲୀପ ରାୟଙ୍କୁ ଅପରାଧିକ ଷଡ଼ଯନ୍ତ୍ରର ଆଇପିସି ର ୧୨୦ ବି, ୪୦୯/୪୨୦ ଧାରା ଓ ଦୁର୍ନୀତି ନିବାରଣ ଆଇନ ୧୯୮୮ର ଧାରା ୧୩(୧)(ସି), ୧୩(୧)(ବି) ଧାରାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ରାୟରେ କହିଛନ୍ତି ଯେ ୫ ଜଣ ଅଭିଯୁକ୍ତ ଷଡ଼ଯନ୍ତ୍ରରେ ଲିପ୍ତ ରହି କାଷ୍ଟ୍ରାନ ମାଇନିଂ ଲିମିଟେଡ୍ ସପକ୍ଷରେ କୋଲ୍ ବ୍ଲକ୍ ଆବଣ୍ଟନ କରିଛନ୍ତି। ଆସନ୍ତା ୧୪ ତାରିଖରେ ଦୋଷୀ ସାବ୍ୟସ୍ତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ଦଣ୍ଡାଦେଶ ସମୟରେ କୋର୍ଟରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ ଥର ପାଇଁ କୋଇଲା ଦୁର୍ନୀତିରେ ଜଣେ ପୂର୍ବତନ ମନ୍ତ୍ରୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।

ସୂଚନା ଯୋଗ୍ୟ ଯେ ୧୯୯୯ରେ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ଦିଲୀପ କୋଇଲା ରାଷ୍ଟ୍ରମନ୍ତ୍ରୀ ଥିଲେ। ସେ ସମୟରେ କାଷ୍ଟ୍ରାନ ସଂସ୍ଥାକୁ ଝାଡଖଣ୍ଡର ଗିରିଡିହ ସ୍ଥିତ ବ୍ରହ୍ମଡିହ କୋଇଲା ବ୍ଲକ ଆବଣ୍ଟନ କରାଯାଇଥିଲା। ଅଭିଯୋଗ ଅନୁସାରେ ୧୯୯୮ରେ କାଷ୍ଟ୍ରନ ଏହି ଖଣିର ଖନନ ନେଇ ଆବେଦନ କରିଥିଲା। ଅନୁଧ୍ୟାନ କରିବାକୁ କୋଲ୍ଇଣ୍ଡିଆ ସେଣ୍ଟ୍ରାଲ ମାଇନ୍ସ ପ୍ଲାନିଂ ଆଣ୍ଡ ଡିଜାଇନ୍ ଇନଷ୍ଟିଚ୍ୟୁଟ ଲିମିଟେଡ ଦାୟିତ୍ବ ନେଇଥିଲା। ସେହି ବର୍ଷ ଅଗଷ୍ଟରେ ଖଣିରେ ପ୍ରଚୁର ପାଣି ଜମି ରହିବା ସହ ଏହା ଖନନ ଉପଯୋଗୀ ନୁହେଁ ବୋଲି ଦର୍ଶାଇଥିଲା। ୨୩ ଏପ୍ରିଲ ଓ ୧୨ ମେ’ ୧୯୯୯ରେ ଦିଲ୍ଲୀପ ରାୟଙ୍କ କାର୍ଯ୍ୟାଳୟରେ ବ୍ରହ୍ମଡିହ କୋଇଲା ଖଣିର ଫାଇଲ୍ ପହଞ୍ଚିଥିଲା। ୧୩ ମେ’ ୧୯୯୯ରେ ସେହି ଫାଇଲ୍‌କୁ ପୁନଃ ଯାଞ୍ଚ କରିବା ପାଇଁ ପଠାଯାଇଥିଲା। ସିବିଆଇର ଅଭିଯୋଗ ଅନୁସାରେ ଏହି ଫାଇଲ ବରିଷ୍ଠ ଅଧିକାରୀ ନିତ୍ୟାନନ୍ଦ ଗୌତମଙ୍କ ପାଖରେ ପହଞ୍ଚିବା ପରେ ସେ ୟୁଟର୍ଣ୍ଣ ମାରିଥିଲେ। ୧ ସେପ୍ଟେମ୍ବର ୧୯୯୯ରେ ଖଣି ନିଲାମ୍‌ର ଅନୁମତି ମିଳିଥିଲା। ଦିଲୀପଙ୍କ ସୁପାରିସ ଅନୁସାରେ କାଷ୍ଟ୍ରାନ କମ୍ପାନିକୁ କୋଇଲା ବ୍ଲକ୍ ଆବଣ୍ଟନ ହୋଇଥିଲା। ପ୍ରଥମେ ଏହି ମାମଲା ତଦନ୍ତ କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗଙ୍କ ଦ୍ୱାରା କରାଯାଇଥିଲା ଏବଂ ପରେ ଏହାକୁ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ୨୦୧୨ରେ ଏହି ମାମଲାରେ ସିବିଆଇ ଏଫ୍‌ଆଇଆର୍ ରୁଜୁ କରିଥିଲା ଏବଂ ୨୦୧୪ ଡିସେମ୍ବରରେ ଦିଲୀପଙ୍କ ବିରୋଧରେ ଅଭିଯୋଗପତ୍ର ଦାଖଲ କରାଯାଇଥିଲା।

ସମ୍ବନ୍ଧିତ ଖବର