କୋଲକାତା : ରାଜ୍ୟ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ତୃଣମୂଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେତିକି ଅଡ଼ୁଆ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। କୋଇଲା ଦୁର୍ନୀତି ମାମଲାରେ ସିବିଆଇ ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ପତ୍ନୀଙ୍କୁ ଆଜି ନୋଟିସ୍ ଦେଇଛି। ସିବିଆଇର ତଦନ୍ତକାରୀ ଟିମ୍ ଆଜି ଅପରାହ୍ନରେ ଦକ୍ଷିଣ କୋଲକାତାସ୍ଥିତ ଅଭିଷେକଙ୍କ ବାସଭବନକୁ ଯାଇ ତାଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ନୋଟିସ୍ ଦେଇଥିଲେ ଏବଂ ତଦନ୍ତରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ସୂତ୍ରରୁ ଜଣାପଡ଼ିଛି, କୋଇଲା ଦୁର୍ନୀତି ମାମଲା ସମ୍ପର୍କିତ କିଛି ପ୍ରଶ୍ନ ସିବିଆଇ ଟିମ୍ ରୁଜିରାଙ୍କୁ ପଚାରିଥିଲେ। ତେବେ ଏଭଳି ନୋଟିସ୍ରେ ଦବିବେ ନାହିଁ ଏବଂ ଏହାର ମୁକାବିଲା କରିବେ ବୋଲି ଆଜି ଅଭିଷେକ କହିଛନ୍ତି।
କୋଇଲା ଦୁର୍ନୀତି ମାମଲାକୁ ନେଇ ଗତ ନଭେମ୍ବର ମାସରେ ସିବିଆଇ ଅନୁପ ମାନ୍ଝୀ ଓରଫ ଲାଲା, ଇଷ୍ଟର୍ଣ୍ଣ କୋଲ୍ଫିଲ୍ଡ ଲିମିଟେଡ଼ର ଜେନେରାଲ ମ୍ୟାନେଜର ଅମିତ କୁମାର ଧର ଏବଂ ଜୟେଶ ଚନ୍ଦ୍ର ରାଏ, ଇସିଏଲ୍ ସିକ୍ୟୁରିଟି ଚିଫ୍ ତନ୍ମୟ ଦାସ, ଏରିଆ ସିକ୍ୟୁରିଟି ଇନ୍ସପେକ୍ଟର ଧନଞ୍ଜୟ ରାଏ ଏବଂ ଏସ୍ଏସ୍ଆଇ ଦେବାଶିଷ ମୁଖାର୍ଜୀଙ୍କ ନାମରେ ଏଫ୍ଆଇଆର୍ ରୁଜୁ କରିଥିଲା। କୁନୁସ୍ତୋରିଆ ଏବଂ କାଜୋରା ଅଞ୍ଚଳରେ ଥିବା ଇସିଏଲ୍ର ବେଆଇନ ଖଣି ଏବଂ କୋଇଲା ଚୋରି ମାମଲାରେ ମାନ୍ଝୀ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି। ଏହି ମାମଲାକୁ ନେଇ ଗତ ଶୁକ୍ରବାର ରାଜ୍ୟର ୧୩ଟି ସ୍ଥାନରେ ସିବିଆଇ ଚଢ଼ଉ କରିଥିଲା।