କୋଇଲା ଦୁର୍ନୀତି ମାମଲା : ଦିଲ୍ଲୀପଙ୍କୁ ତିନି ବର୍ଷ ଜେଲ୍, ମିଳିଲା ଜାମିନ

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ୧୯୯୯ର ଝାଡ଼ଖଣ୍ଡ ବ୍ରହ୍ମଡିହା କୋଲବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ୩ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇବାର କିଛି ସମୟ ପରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ଆଜି ସ୍ୱତନ୍ତ୍ର ସିବିଆଇ କୋର୍ଟର ବିଚାରପତି ଭରତ ପରାସର ଦିଲ୍ଲୀପଙ୍କ ସମେତ କୋଇଲା ମନ୍ତ୍ରଣାଳୟର ଦୁଇ ପୂର୍ବତନ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ ଏବଂ କାଷ୍ଟନ ଟେକ୍ନୋଲଜି ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲଙ୍କୁ ମଧ୍ୟ ତିନି ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କାର ଜୋରିମାନା କରାଯାଇଥିଲା। ସ୍ୱତନ୍ତ୍ର ସିବିଆଇ କୋର୍ଟ ମହେନ୍ଦ୍ର କୁମାର ଅଗ୍ରୱାଲଙ୍କ ମାଲିକାନାରେ ଥିବା ଦୁଇ କମ୍ପାନି ସିଟିଏଲ୍ ଓ ସିଏମଏଲକୁ ଯଥାକ୍ରମେ ୬୦ ଲକ୍ଷ ଟଙ୍କାର ଜୋରିମାନା କରିଥିଲେ। ଦଣ୍ଡାଦେଶ ଶୁଣାଇବା ପରେ ସ୍ବତନ୍ତ୍ର ସିବିଆଇ କୋର୍ଟ ୪ ଜଣ ଦୋଷୀଙ୍କୁ ଜଣେ ଜାମିନଦାର ଓ ୧ ଲକ୍ଷ ଟଙ୍କାର ବେଲ୍ ବଣ୍ଡରେ ଜାମିନ ପ୍ରଦାନ କରିଥିଲେ। ଏତଦବ୍ୟତୀତ ନଭେମ୍ବର ୨୫ ସୁଦ୍ଧା ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିବା ପାଇଁ ଦୋଷୀମାନଙ୍କୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ଅନୁମତି ପ୍ରଦାନ କରିଥିଲେ। କୋଇଲା ଦୁର୍ନୀତି ମାମଲାରେ ଏନଡିଏ ସରକାରଙ୍କ ଜଣେ ପୂର୍ବତନ ମନ୍ତ୍ରୀ ରୂପେ ଦଣ୍ଡ ପାଇବାରେ ଦିଲ୍ଲୀପ ରାୟ ପ୍ରଥମ ବ୍ୟକ୍ତି। ତତ୍କାଳୀନ ଅଟଳବିହାରୀ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ଦିଲ୍ଲୀପ ରାୟ କୋଇଲା ରାଷ୍ଟ୍ରମନ୍ତ୍ରୀ ରୂପେ କାର୍ଯ୍ୟ କରୁଥିଲେ।

ଅକ୍ଟୋବର ୬ ତାରିଖରେ କୋର୍ଟ ଦିଲ୍ଲୀପ ଓ ଅନ୍ୟମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଦେଶର ଗୁରୁତ୍ୱପୂର୍ଣ ପ୍ରାକୃତିକ ସମ୍ପଦକୁ ହାତେଇବା ଲାଗି ଅପରାଧିକ ଷଡ଼ଯନ୍ତ୍ର କରାଯାଇଥିଲା ବୋଲି କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସମୟରେ ରାୟରେ କହିଥିଲେ। ଦିଲ୍ଲୀପ ରାୟଙ୍କ ଭୂମିକା ବିଷୟରେ ଉଲ୍ଲେଖ କରି କୋର୍ଟ କହିଥିଲେ ଅସାଧୁ ତଥା ଅସଦ୍ ଉଦ୍ଦେଶ୍ୟ ନେଇ ସେ କାର୍ଯ୍ୟ କରିଛନ୍ତି। ଅନ୍ୟପକ୍ଷରେ ଅକ୍ଟୋବର ୧୪ ତାରିଖରେ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ସିବିଆଇ ଓ ଅଭିଯୁକ୍ତମାନଙ୍କର ଓକିଲମାନଙ୍କ ପକ୍ଷରୁ ଦଣ୍ଡବିଧାନକୁ ନେଇ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ସିବିଆଇ ଓକିଲ ଅଭିଯୁକ୍ତମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ପାଇଁ ଯୁକ୍ତି ବାଢ଼ିଥିଲେ ଏବଂ ପ୍ରତିପକ୍ଷଙ୍କ ଆଇନଜୀବୀମାନେ ଅଭିଯୁକ୍ତଙ୍କ ବୟସ ତଥା ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନଥିବା କାରଣରୁ ସେମାନଙ୍କ ବିରୋଧରେ କୋହଳ ଦଣ୍ଡ ଘୋଷଣା କରିବାକୁ ନିବେଦନ କରିଥିଲେ।

ସମ୍ବନ୍ଧିତ ଖବର