କୋଇଲା ଆବଣ୍ଟନ ଦୁର୍ନୀତି ମାମଲା, ପୂର୍ବ କୋଇଲା ସଚିବଙ୍କ ସମେତ ୬ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ଆଜି ପୂର୍ବତନ ଖଣି ସଚିବ ଏଚ୍‌ସି ଗୁପ୍ତାଙ୍କ ସମେତ ୬ ଜଣଙ୍କୁ ଦୋଷୀସାବ୍ୟସ୍ତ କରିଛନ୍ତି ଦିଲ୍ଲୀର ସିବିଆଇ କୋର୍ଟ। ଆସନ୍ତା ଡିସେମ୍ବର ୩ ତାରିଖରେ ସମସ୍ତ ଦୋଷୀସାବ୍ୟସ୍ତଙ୍କ ବିରୋଧରେ ଦଣ୍ଡା‌ଦେଶ ହେବ। ପୂର୍ବତନ କୋଇଲା ସଚିବ ଗୁପ୍ତାଙ୍କ ସହ ଘରୋଇ କମ୍ପାନି ବିକାଶ ମେଟାଲ୍ସ ଆଣ୍ଡ୍‌ ପାୱାର ଲିମିଟେଡ୍‌ (ଭିଏମ୍‌ପିଏଲ୍‌), କୋଇଲା ମନ୍ତ୍ରାଳୟରେ ପୂର୍ବତନ ଯୁଗ୍ମ ସଚିବ କେ ଏସ୍‌ କ୍ରୋଫା ଏବଂ ମନ୍ତ୍ରାଳୟର ତତ୍କାଳୀନ ନିର୍ଦ୍ଦେଶକ କେସି ସାମ୍ରିଆ, କମ୍ପାନିର ପରିଚାଳନା ନିର୍ଦ୍ଦେଶକ ବିକାଶ ପଟନି ଏବଂ ଏହାର ଅଧିକୃତ କର୍ମଚାରୀ ଆନନ୍ଦ ମଲ୍ଲିକଙ୍କୁ ଆଜି ସ୍ବତନ୍ତ୍ର ବିଚାରପତି ଭାରତ ପରାଶର କୋଇଲା ଆବଣ୍ଟନରେ ଅନିୟମିତତା ନେଇ ଦୋଷୀସାବ୍ୟସ୍ତ କରିଛନ୍ତି। ମାମଲାରେ ଅଭିଯୁକ୍ତମାନଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ ହୋଇପାରେ। ଉଲ୍ଲେଖଯୋଗ୍ୟ ପଶ୍ଚିମବଙ୍ଗରେ ଭିଏମ୍‌ପିଏଲ୍‌ କମ୍ପାନିକୁ ‌ ମୋଇଲା ଆଣ୍ଡ୍‌ ମଧୁଜୋର୍‌ କୋଇଲା ଖଣି ଆବଣ୍ଟନରେ ବ୍ୟାପକ ଦୁର୍ନୀତି ହୋଇଥିଲା। ୨୦୧୨ ମସିହା ‌ସେପ୍ଟେମ୍ବରରେ ଏହି ମାମଲାରେ ସିବିଆଇ ଏଫ୍‌ଆଇଆର ରୁଜୁ କରିଥିଲା। ୨୦୧୬ ଅଗଷ୍ଟ ୧୯ରେ କୋର୍ଟ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍‌ କରିଥି‌ଲେ। ଗୁପ୍ତା ପ୍ରାରମ୍ଭରେ ଅନ୍ୟ ଦୁଇଟି କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତିରେ ମଧ୍ୟ ଦୋଷୀସାବ୍ୟସ୍ତ ହୋଇଥିଲେ। ଗୁପ୍ତାଙ୍କ ବିରୋଧରେ ପାଖାପାଖି ୮ଟି ଚାର୍ଜସିଟ୍‌ ଦାଖଲ ହୋଇଛି ଏବଂ ପ୍ରତ୍ୟେକଟି ମାମଲାର ବିଚାର ପୃଥକ୍‌ ଭାବେ ଚାଲିଛି।

ସମ୍ବନ୍ଧିତ ଖବର