ବିଦ୍ୟୁତ୍ ସଙ୍କଟର ମୁକାବିଲା ପାଇଁ ସଂକଟ ପରିଚାଳନା ଗୋଷ୍ଠୀ ଗଠନ କଲେ କୋଇଲା, ରେଳ ଏବଂ ଶକ୍ତି ମନ୍ତ୍ରାଳୟ

ନୂଆଦିଲ୍ଲୀ: ବିଦ୍ୟୁତ୍ ସଙ୍କଟର ମୁକାବିଲା ପାଇଁ କୋଇଲା, ରେଳ ଏବଂ ଶକ୍ତି ମନ୍ତ୍ରାଳୟ ଏକ ସଂକଟ ପରିଚାଳନା ଗୋଷ୍ଠୀ ଗଠନ କରିଛନ୍ତି। ଏହି ତିନୋଟି ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ସଙ୍କଟ ପରିଚାଳନା ଗୋଷ୍ଠୀରେ ସାମିଲ ଥିବା ବେଳେ ସେମାନେ ୨୪ଘଣ୍ଟା ବିଦ୍ୟୁତ୍ ସଙ୍କଟ ଉପରେ ନଜର ରଖିବେ।

ଦେଶରେ କୋଇଲା ଭଣ୍ଡାର ହ୍ରାସ ପାଇବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆଜି ଗୃହ ମନ୍ତ୍ରାଳୟରେ ଉଚ୍ଚସ୍ତରୀୟ ବୈଠକ କରିଥିଲେ। ଏହି ବୈଠକରେ ଉଭୟ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହ ଶକ୍ତିମନ୍ତ୍ରୀ ଆର.କେ ସିଂ, କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଏବଂ ନ୍ୟାସନାଲ ଥର୍ମାଲ୍ ପାୱାର୍ କର୍ପୋରେସନ୍ ଲିମିଟେଡ୍ (ଏନଟିପିସି)ର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ, ଥର୍ମାଲ୍ ପାୱାର ପ୍ଲାଣ୍ଟ୍‌ଗୁଡ଼ିକ ପାଖରେ କୋଇଲାର ଅଭାବ ଦେଖାଦେଇଛି। ଏହି ସ୍ଥିତିରେ ଶୀଘ୍ର ସୁଧାର ନହେଲେ ବଡ଼ ଧରଣର ବିଦ୍ୟୁତ ସଙ୍କଟ ଦେଖାଦେବ। ଦେଶର ଅନେକ ଅଞ୍ଚଳ ଅନ୍ଧାର ଭିତରକୁ ଠେଲି ହୋଇଯିବ। ଏହି ସଙ୍କଟ ବିଷୟରେ କୋଇଲା ସଚିବ ଅନିଲ କୁମାର ଜୈନ କହିଥିଲେ ଯେ ପାୱାର ପ୍ଳାଣ୍ଟ୍‌ଗୁଡ଼ିକରେ ଦୈନିକ ୬୦,୦୦୦-୮୦,୦୦୦ ଟନ୍ କୋଇଲାର ଅଭାବ ରହୁଛି। ପ୍ରବଳ ବର୍ଷା ଯୋଗୁଁ ଧାନବାଦରେ ଥିବା ଖଣିଗୁଡ଼ିକରେ ଉତ୍ପାଦନ ପ୍ରଭାବିତ ହେବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଯଦି ପାଣିପାଗ ସ୍ଥିତି ଠିକ୍ ରହିବ ତେବେ ଅକ୍ଟୋବର ଦ୍ବିତୀୟ ସପ୍ତାହ ସୁଦ୍ଧା ସ୍ଥିତି ସ୍ବାଭାବିକ ହୋଇଯିବ ବୋଲି ଆଶା କରାଯାଉଛି।

ଗତ ଅଗଷ୍ଟରେ ପାୱାର ପ୍ଲାଣ୍ଟ୍‌ଗୁଡ଼ିକ ପାଖରେ ୧୩ ଦିନର ଆବଶ୍ୟକତା ପୂରଣ ହେବା ଭଳି କୋଇଲା ଥିଲା। ସେପ୍ଟେମ୍ବରରେ ତାହା ୪ ଦିନକୁ ହ୍ରାସ ପାଇଛି। ଗତ କିଛି ବର୍ଷ ଭିତରେ ଏଭଳି ସ୍ଥିତି ଦେଖିବାକୁ ମିଳି ନଥିଲା। ଦେଶର ଅଧାରୁ ଅଧିକ ପାୱାର ପ୍ଲାଣ୍ଟ୍‌ରେ ବିଦ୍ୟୁତ ଉତ୍ପାଦନ ଠପ୍ ହେବା ଭଳି ସ୍ଥିତି ସୃଷ୍ଟି ହୋଇଛି। ଭାରତରେ ୭୦% ବିଦ୍ୟୁତ ଥର୍ମାଲ୍‌ ପାୱାର ପ୍ଲାଣ୍ଟ୍‌ରେ ଉତ୍ପାଦନ କରାଯାଏ। କୋଇଲା ଅଭାବ ଯୋଗୁଁ ଥର୍ମାଲ୍‌ ପାୱାର ପ୍ଲାଣ୍ଟ୍‌ରେ ଉତ୍ପାଦନ ପ୍ରଭାବିତ ହୋଇଛି। କୋଇଲା ସଙ୍କଟକୁ ଦୂର କରିବା ଲାଗି ବିଭିନ୍ନ ଅଭିନବ ପଦକ୍ଷେପ ଗ୍ରହଣ କରାଯାଉଛି। ଆଲୁମିନିୟମ୍ ଓ ଇସ୍ପାତ କାରଖାନା ପାଇଁ ଥିବା କୋଇଲାକୁ ପାୱାର ପ୍ଲାଣ୍ଟ୍‌ରେ ବ୍ୟବହାର ପାଇଁ ପଠାଯାଉଛି। ଏହା ଆଲୁମିନିୟମ୍ ଓ ଇସ୍ପାତ କଂପାନିଗୁଡ଼ିକର ଚିନ୍ତା ବଢ଼ାଇଛି। କୋଲ୍ ଇଣ୍ଡିଆ ଆବଶ୍ୟକତା ଅନୁସାରେ କୋଇଲା ଯୋଗାଣ କରୁନଥିବା ନେଇ କିଛି ଆଲୁମିନିୟମ୍ କଂପାନି ଅଭିଯୋଗ କରିବା ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର