କୋଇଲା ରୟାଲ୍‌ଟି ବଢ଼ିବାର ନାହିଁ

ସ୍ପଷ୍ଟ କଲେ କେନ୍ଦ୍ର ସରକାର,  ଓଡ଼ିଶାକୁ ଜବରଦସ୍ତ ଝଟ୍‌କା

ନୂଆଦିଲ୍ଲୀ : କୋଇଲା ରୟାଲ୍‌ଟି ବଢ଼ିବାର କୌଣସି ଯୋଜନା ନାହିଁ। ଏ ସଂକ୍ରାନ୍ତ ସମସ୍ତ ସମ୍ଭାବନାକୁ କେନ୍ଦ୍ର ସରକାର ରୋକ୍‌ ଠୋକ୍ ପ୍ରତ୍ୟାଖ୍ୟାନ କରିଛନ୍ତି। ରାଜ୍ୟସଭା ସଦସ୍ୟ ଡ. ସସ୍ମିତ ପାତ୍ର କୋଇଲା ରୟାଲ୍‌ଟି ସଂଶୋଧନ ନିମନ୍ତେ ସରକାର କି ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ବିପୁଳ ପରିମାଣର କୋଇଲା ଯୋଗାଉଥିବା ଓଡ଼ିଶା ଭଳି ରାଜ୍ୟ ଲାଗି ରୟାଲ୍‌ଟି ବୃଦ୍ଧି କରାଯିବାର କୌଣସି ଯୋଜନା ଅଛି କି ପ୍ରଶ୍ନ କରିଥିଲେ। ଏ ସଂପର୍କରେ କେନ୍ଦ୍ର କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କର ଉତ୍ତର ଏଭଳି ସଙ୍କେତ ଦେଇଛି, ଯାହା ଓଡ଼ିଶା ସମେତ ସମସ୍ତ କୋଇଲା ଯୋଗାଉଥିବା ରାଜ୍ୟପାଇଁ ଉଦ୍ଦିଷ୍ଟ।

ଓଡ଼ିଶାର ଏଭଳି ଏକ ବଡ଼ ଦାବି ଉପରେ କେନ୍ଦ୍ରର ଏଭଳି କଠୋର ମନୋଭାବ ରାଜ୍ୟ ରାଜନୀତି ପାଇଁ ବଡ଼ ପ୍ରସଙ୍ଗ ପାଲଟିବାକୁ ଯାଉଛି। ବିଜୁ ଜନତା ଦଳ ବିଭିନ୍ନ ସମୟରେ ଏହି ପ୍ରସଙ୍ଗ ଉଠାଉଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଧିକ ଥର ଏହି ପ୍ରସଙ୍ଗକୁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିଥିଲେ। ସଂସଦରେ କୋଇଲା ରୟାଲ୍‌ଟି ବୃଦ୍ଧି ପାଇଁ ଦାବି ଉପସ୍ଥାପନ କରାଯାଇଥିଲା। ଗତ ବିଜେଡି ସଂସଦୀୟ ଦଳ ବୈଠକରେ ଏହି ପ୍ରସଙ୍ଗ ଉପରେ ଗୁରୁତ୍ବ ଦିଆଯିବା ସହିତ ଉଭୟ ସଦନରେ ରୟାଲ୍‌ଟି ବୃଦ୍ଧି ପାଇଁ ସ୍ବର ଉତ୍ତୋଳନ କରିବା ଲାଗି ବିଜେଡି ସୁପ୍ରିମୋ ଶ୍ରୀ ପଟ୍ଟନାୟକ ସାଂସଦମାନଙ୍କୁ ନିର୍ଦେଶ ଦେଇଥିଲେ।

ଆଜି ସସ୍ମିତଙ୍କ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଯେ ୧୯୫୭ ‘ଖଣି ଓ ଖଣିଜ’ (ବିକାଶ ଓ ନିୟନ୍ତ୍ରଣ) ଆଇନର ଧାରା ୯(୩) ଅନୁଯାୟୀ, ଯେକୌଣସି ଖଣିଜ ପଦାର୍ଥର ରୟାଲ୍‌ଟି ହ୍ରାସ/ବୃଦ୍ଧି କରିବା ନିମନ୍ତେ କେନ୍ଦ୍ର ସରକାର ‘ସରକାରୀ ରାଜପତ୍ର’ରେ ବିଜ୍ଞପ୍ତି ପ୍ରକାଶ କରିବା ସହିତ ରୟାଲ୍‌ଟି ଦର ନିର୍ଦ୍ଧାରଣ କରୁଥିବା ଏହି ଆଇନର ଦ୍ୱିତୀୟ ଭାଗକୁ ସଂଶୋଧନ କରିବାର କ୍ଷମତା ରଖନ୍ତି। ବିଜ୍ଞପ୍ତିରେ ଜାରି ହୋଇଥିବା ତାରିଖ ଠାରୁ ଏହି ରୟାଲ୍‌ଟି ହ୍ରାସ/ବୃଦ୍ଧି ଲାଗୁ ହୋଇଥାଏ। କିନ୍ତୁ, ଏହି ଆଇନ ଅନୁସାରେ, କେନ୍ଦ୍ର ସରକାର ତିନି ବର୍ଷର ସମୟ ଅବଧି ମଧ୍ୟରେ କୌଣସି ଖଣିଜ ପଦାର୍ଥର ରୟାଲ୍‌ଟି ଦର ଏକାଧିକ ଥର ବୃଦ୍ଧି କରିପାରିବେ ନାହିଁ। ସେହିଭଳି, ପ୍ରତି ତିନି ବର୍ଷରେ ଥରେ ରୟାଲ୍‌ଟି ଦର ସଂଶୋଧନ କରିବା ନିମନ୍ତେ ଏହି ଆଇନରେ କୌଣସି ବାଧ୍ୟତାମୂଳକ ବ୍ୟବସ୍ଥା ବି ନାହିଁ।

ମନ୍ତ୍ରୀ କହିଛନ୍ତି ଯେ କୋଇଲା ଏବଂ ‘ଲିଗ୍‌ନାଇଟ୍‌’ର ସାମ୍ପ୍ରତିକ ରୟାଲ୍‌ଟି ଦର ସଂଶୋଧନ ପ୍ରସଙ୍ଗରେ ଅନୁଶୀଳନ କରାଯିବା ଉଦ୍ଦେଶ୍ୟରେ ୨୦୧୪ ଜୁଲାଇ ୨୧ ତାରିଖରେ ଏକ ଅନୁଧ୍ୟାନକାରୀ କମିଟି ଗଠନ କରାଯାଇଥିଲା। ଏହି କମିଟି ସରକାରଙ୍କୁ ତାଙ୍କ ରିପୋର୍ଟ ଦେଇଛନ୍ତି; ଯେଉଁଥିରେ କୋଇଲା ରୟାଲ୍‌ଟି ଦର ପରିବର୍ତ୍ତନ ନ କରିବାକୁ ପ୍ରସ୍ତାବ ଆସିଛି। ସରକାର ଏହି ରିପୋର୍ଟକୁ ଗ୍ରହଣ କରିଛନ୍ତି। ଏ ସଂପର୍କରେ ଅଧିକ ତଥ୍ୟ ରଖି ମନ୍ତ୍ରୀ ଆହୁରି କହିଛନ୍ତି ଯେ କୋଇଲାର ନେଣଦେଣ ମୂଲ୍ୟ ଟିକସ ଉପରେ ସମ୍ପ୍ରତି ୧୪% ରୟାଲ୍‌ଟି ଦିଆଯାଉଛି। ଏହାଛଡ଼ା, ‘ଡିଷ୍ଟ୍ରିକ୍ଟ୍‌ ମିନେରାଲ୍‌ ଫାଉଣ୍ଡେସନ୍‌’ ଲାଗି ରାଜ୍ୟ ସରକାରମାନେ ୨୦୧୫ ଜାନୁଆରି ୧୨ ପୂର୍ବରୁ ମଞ୍ଜୁର ହୋଇଥିବା ଖଣି ଲିଜ୍‌ ବାବଦରେ ରୟାଲ୍‌ଟିର ୩୦% ଏବଂ ୨୦୧୫ ଜାନୁଆରି ୧୨ ଦିନ କିମ୍ବା ତା’ପରେ ମଞ୍ଜୁର ହୋଇଥିବା ଖଣି ଲିଜ୍‌ ବାବଦକୁ ରୟାଲ୍‌ଟିର ୧୦% ଆଦାୟ କରୁଛନ୍ତି। ଯେହେତୁ କୋଇଲାର ନେଣଦେଣ ମୂଲ୍ୟ ଉପରେ ରୟାଲ୍‌ଟି ଆଧାରିତ, ଏଣୁ କୋଇଲା ଦର ବଢ଼ିଲେ ସମ୍ପୃକ୍ତ ରାଜ୍ୟର ଏ ବାବଦ ରାଜସ୍ୱ ମଧ୍ୟ ଆପେ ବୃଦ୍ଧି ପାଉଛି। ମନ୍ତ୍ରୀଙ୍କର ଏଭଳି ଉତ୍ତର ସ୍ପଷ୍ଟ କରିଦେଇଛି ଯେ ରାଜ୍ୟ ସରକାରଙ୍କ କୋଇଲା ରୟାଲ୍‌ଟି ବୃଦ୍ଧି ଦାବି କେନ୍ଦ୍ର ସରକାରଙ୍କ ନିକଟରେ ଆଉ ଏକ ପ୍ରସଙ୍ଗ ଭାବେ ନାହିଁ।

ସମ୍ବନ୍ଧିତ ଖବର