କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ଦିଲ୍ଲୀପ ରାୟଙ୍କ ସମେତ ୪ ଅଭିଯୁକ୍ତଙ୍କ ଆସନ୍ତାକାଲି ଦଣ୍ଡ ଘୋଷଣା ସମ୍ଭାବନା
ନୂଆଦିଲ୍ଲୀ: ୧୯୯୯ ମସିହାରେ ଝାଡଖଣ୍ଡର ଗିରିଡିହସ୍ଥିତ ବ୍ରହ୍ମାଡିଆ କୋଇଲା ଖଣି ଆବଣ୍ଟନରେ ହୋଇଥିବା ଅନିମିୟତତା ମାମଲାରେ ଆସନ୍ତାକାଲି ସ୍ବତନ୍ତ୍ର ସିବିଆଇ କୋର୍ଟ ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ସମେତ ୪ଜଣ ଅଭିଯୁକ୍ତଙ୍କ ବିରୋଧରେ ଦଣ୍ଡ ଘୋଷଣା କରିବାର ସମ୍ଭାବନା ରହିଛି।
ଅକ୍ଟୋବର ୬ ତାରିଖରେ ସ୍ବତନ୍ତ୍ର ସିବିଆଇ କୋର୍ଟ ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀପ ରାୟ, କୋଇଲା ମନ୍ତ୍ରାଳୟର ଦୁଇ ପୂର୍ବତନ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ, କାଷ୍ଟ୍ରନ୍ ଟେକନୋଲୋଜି ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲଙ୍କୁ ଆଇପିସିର ଦଫା ୧୨୦(ଖ), ୪୨୦ ଓ ୪୦୯ ଏବଂ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଦଫାରେ ଦୋଷୀ ସାବ୍ୟସ୍ତ କରିଥିଲେ।
ଅକ୍ଟୋବର ୧୪ ତାରିଖରେ ସ୍ବତନ୍ତ୍ର ସିବିଆଇ କୋର୍ଟରେ ସିବିଆଇ ଓ ଅଭିଯୁକ୍ତମାନଙ୍କର ଓକିଲମାନଙ୍କ ପକ୍ଷରୁ ଦଣ୍ଡବିଧାନକୁ ନେଇ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ସିବିଆଇ ଓକିଲ ଅଭିଯୁକ୍ତମାନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ପାଇଁ ଯୁକ୍ତି ବାଢ଼ିଥିଲେ ଏବଂ ପ୍ରତିପକ୍ଷଙ୍କ ଆଇନଜୀବୀମାନେ ଅଭିଯୁକ୍ତଙ୍କ ବୟସ ତଥା ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନଥିବା କାରଣରୁ ସେମାନଙ୍କ ବିରୋଧରେ କୋହଳ ଦଣ୍ଡ ଘୋଷଣା କରିବାକୁ ନିବେଦନ କରିଥିଲେ।
ସିବିଆଇ ସ୍ବତନ୍ତ୍ର କୋର୍ଟର ବିଚାରପତି ଭରତ ପରାସର ଉଭୟ ପକ୍ଷକୁ ଶୁଣିବା ପରେ ରାୟକୁ ସଂରକ୍ଷିତ ରଖିବା ସହିତ ଅକ୍ଟୋବର ୨୬ରେ କୋଭିଡ ନିୟମ ପାଳନ ସହିତ ସମସ୍ତ ଦୋଷୀଙ୍କୁ କୋର୍ଟରେ ଉପସ୍ଥିତ ପାଇଁ ନିର୍ଦ୍ଦେଶ ଦେଇଥିଲେ।