ନୂଆଦିଲ୍ଲୀ : ଭାରତର ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ମନୋଜ ପାଣ୍ଡେ ଆସନ୍ତା କାଲି ଲଦାଖ ଗସ୍ତରେ ଯିବେ । ଏ ସମ୍ପର୍କରେ ସେନା ପକ୍ଷରୁ ସୂଚନା ଦିଆଯାଇଛି । ତେବେ ତାଙ୍କର ଗସ୍ତ କାର୍ଯ୍ୟସୂଚୀ ସଂପର୍କରେ ସେନା ପକ୍ଷରୁ ଅଧିକ ତଥ୍ୟ ଦିଆଯାଇନାହିଁ ।
ଲଦାଖର ବିବାଦୀୟ ଅଂଚଳଗୁଡ଼ିକରୁ ସେନା ପ୍ରତ୍ୟାହାର ପାଇଁ ଭାରତ ଓ ଚୀନ ସେନଙ୍କ ମଧ୍ୟରେ ସହମତି ହୋଇଥିବା ପରିପ୍ରେକ୍ଷୀରେ ଏହି ଗସ୍ତର ଗୁରୁତ୍ବ ରହିଛି ।
ଗତ କାଲି ଅର୍ଥାତ ଗୁରୁବାରଦିନ ଉଭୟ ସେନା ପକ୍ଷରୁ ଏକ ମିଳିତ ବୟାନ ଜାରି କରି କୁହାଯାଇଥିଲା ଯେ ଗୋଗ୍ରା ଓ ହଟସ୍ପ୍ରିଙ୍ଗ ଇଲାକାର ପେଟ୍ରୋଲ ପଏଣ୍ଟ-୧୫ରୁ ସୈନ୍ୟ ପ୍ରତାହାର ପାଇଁ ସହମତି ହୋଇଛି । ବିଶେଷକରି ଚୀନ ସେନା ୨୦୨୦ର ପୂର୍ବସ୍ଥିତିକୁ ଫେରିଯିବାକୁ ରାଜି ହୋଇଛି । ଏହା ସହିତ ପେଙ୍ଗାଙ୍ଗ ହ୍ରଦଠାରୁ କିଛି ବାଟ ଦୂରକୁ ଯିବାକୁ ଚୀନ ରାଜି ହୋଇଛି । ଆସନ୍ତା ୧୨ ତାରିଖ ସୁଦ୍ଧା ଏହି ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହେବ । ଏହା ସହିତ ଉଭୟ ପକ୍ଷର ତଦାରଖରେ ଉକ୍ତ ଅଂଚଳରେ ସ୍ଥାପନ କରାଯାଇଥିବା ଅସ୍ଥାୟୀ ନିର୍ମାଣକୁ ଭାଙ୍ଗି ଦିଆଯିବ । ଉଭୟ ସ୍ଥାନକୁ ୨୦୨୦ ପୂର୍ବ ସ୍ଥିତିକୁ ଫେରାଇ ନିଆଯିବ ।
ଏହି ମିଳିତ ବୟାନରେ କୁହାଯାଇଛି ଯେ ଏହି ସୈନ୍ୟ ପ୍ରତ୍ୟାହାର ଦ୍ବାରା ପ୍ରକୃତ ନିୟନ୍ତ୍ରଣ ରେଖା ଅଂଚଳରେ ଶାନ୍ତି ଓ ସ୍ଥିରତା ବିରାଜମାନ କରିବ ।