ମଝି ସମୁଦ୍ରରେ ନିଆଁ ଲାଗିଥିବା ଜାହାଜରେ ଫସିଥିବା କ୍ର୍ୟୁ ସଦସ୍ୟଙ୍କୁ ଉଦ୍ଧାର ପାଇଁ କୋଷ୍ଟଗାର୍ଡର ବଡ଼ ଅପରେସନ୍‌

କୋଲକାତା: ପଶ୍ଚିମବଙ୍ଗ ଉପକୂଳରେ ମଝି ସମୁଦ୍ରରେ ଏକ ପଣ୍ୟବାହୀ ଜାହାଜରେ ଗତକାଲି (ବୁଧବାର) ରାତିରେ ଲାଗି ଯାଇଥିବା ନିଆଁକୁ ଲଭାଇବା ଓ ଏଥିରେ ରହିଯାଇଥିବା ୨୨ ଜଣ କ୍ର୍ୟୁ ସଦସ୍ୟଙ୍କୁ ଜାହାଜ ମଧ୍ୟରୁ ଉଦ୍ଧାର କରିବା ପାଇଁ ତଟରକ୍ଷୀ ବାହିନୀ (କୋଷ୍ଟ ଗାର୍ଡ) ପକ୍ଷରୁ ଏକ ବଡ଼ ଧରଣର ଅପରେସନ୍‌ ଆରମ୍ଭ ହୋଇଛି। ଏହି ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ତଟରକ୍ଷୀ ବାହିନୀ ପକ୍ଷରୁ ଆରମ୍ଭ ହୋଇଥିବା ଅପରେସନ୍‌ ଅବ୍ୟାହତ ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ନିଆଁ ଲାଗିଥିବା ପଣ୍ୟବାହୀ ଜାହାଜ ମଧ୍ୟରୁ ୧୧ ଜଣ କ୍ର୍ୟୁ ସଦସ୍ୟଙ୍କୁ ଉଦ୍ଧାର କରାଯାଇ ପାରିଥିବା ଜାଣିବାକୁ ମିଲିଛି। ଅନ୍ୟ କ୍ର୍ୟୁ ସଦସ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ ଏବେବି ତଟରକ୍ଷୀ ବାହିନୀର ଅପରେସନ୍‌ ଜାରି ରହିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ପଶ୍ଚିମବଙ୍ଗ ଉପକୂଳ ଦେଇ ଯାଉଥିବା ଏସ୍‌ଏସ୍‌ଏଲ୍‌ କୋଲକାତା ନାମକ ଏକ ପଣ୍ୟବାହୀ ଜାହାଜରେ ଗତକାଲି ମଧ୍ୟରାତ୍ରରେ ମଝି ସମୁଦ୍ରରେ ନିଆଁ ଲାଗି ଯାଇଥିଲା। ଘଟଣା ସଂପର୍କରେ ଖବର ପାଇବା ମାତ୍ରେ ହଳଦିଆ ବନ୍ଦରରେ ଥିବା ତଟରକ୍ଷୀ ବାହିନୀର ରାଜକିରଣ ଏବଂ କୋଷ୍ଟ ଡ୍ରୋନିୟର ନାମକ ଦୁଇଟି ଜାହାଜ ନିଆଁ ଲାଗିଥିବା ଏସ୍‌ଏସ୍‌ଏଲ୍‌ କୋଲକାତା ନିକଟରେ ପହଞ୍ଚିବା ସହ ଏଥିରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ଉଦ୍ୟମ କରିବା ସହ ଏହା ମଧ୍ୟରେ ରହି ଯାଇଥିବା ୨୨ ଜଣ କ୍ର୍ୟୁ ସଦସ୍ୟଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ୍‌ ଆରମ୍ଭ କରିଥିଲେ। ବତ୍ତାମାନ ସୁଦ୍ଧା ଏସ୍‌ଏସ୍‌ଏଲ୍‌ କୋଲକାତା ଜାହାଜ ମଧ୍ୟରୁ ୧୧ ଜଣ କ୍ର୍ୟୁ ସଦସ୍ୟଙ୍କୁ ଉଦ୍ଧାର କରା ଯାଇଥିବା ବେଳେ ଅନ୍ୟ କ୍ର୍ୟୁ ସଦସ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ ଏବେବି ତଟରକ୍ଷୀ ବାହିନୀର ଅପରେସନ୍‌ ଜାରି ରହିଛି।


ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଚଳିତ ବର୍ଷ ଆରମ୍ଭରେ କାଣ୍ଡଲା ଉପକୂଳରେ ୩୦,୦୦୦ ଟନ୍‌ ଡିଜେଲ ନେଇ ଆସୁଥିବା ଏକ ପଣ୍ୟବାହୀ ଜାହାଜରେ ନିଆଁ ଲାଗି ଯାଇଥିଲା। ଏହି ଜାହାଜରେ ୨୬ ଜଣ କ୍ର୍ୟୁ ସଦସ୍ୟ ରହିଥିଲେ। ସେତେବେଳେ ତଟରକ୍ଷୀ ବାହିନୀ ପକ୍ଷରୁ କରା ଯାଇଥିବା ଅପରେସନ୍‌ରେ ସମସ୍ତ ୨୬ ଜଣ କ୍ର୍ୟୁ ସଦସ୍ୟଙ୍କୁ ଜୀବନ୍ତ ଉଦ୍ଧାର କରିବାରେ ତଟରକ୍ଷୀ ବାହିନୀ ସମର୍ଥ ହୋଇଥିଲା।

ସମ୍ବନ୍ଧିତ ଖବର