କର୍ମଚାରୀଙ୍କ ଦରମା ବୃଦ୍ଧି ଘୋଷଣା କଲା କୋକା-କୋଲାର ବଟଲିଂ ପାର୍ଟନର କମ୍ପାନି ଏଚ୍‌ସିସିବି

ନୂଆଦିଲ୍ଲୀ: କରୋନା ଭାଇରସ୍‌ ହେତୁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ଅନେକଙ୍କ ପାଇଁ ଚାକିରି ଯିବା ସହ ଦରମା ହ୍ରାସର କାରଣ ପାଲଟି ଥିବା ବେଳେ ମୃଦୁ ପାନୀୟ କମ୍ପାନି କୋକା-କୋଲାର ବଟଲିଂ ପାର୍ଟନର୍‌ କମ୍ପାନି ହିନ୍ଦୁସ୍ତାନ କୋକା-କୋଲା ବେଭେରେଜ୍‌(ଏଚ୍‌ସିସିବି) ତା’ର କର୍ମଚାରୀମାନଙ୍କର ଦରମା ବୃଦ୍ଧି କରାଇ ଚର୍ଚ୍ଚାର ପରିସରକୁ  ଆସିଛି। ଏଚ୍‌ସିବି କର୍ମଚାରୀମାନଙ୍କର ୭ରୁ ୮ ପ୍ରତିଶତ ଦରମା ବଢ଼ାଇଥିବା ସୂଚନା ରହିଛି।

କମ୍ପାନି ୭ ହଜାର କର୍ମଚାରୀଙ୍କ ପାଇଁ ଘୋଷଣା କରିଥିବା ଏହି ବର୍ଦ୍ଧିତ ରାଶି ୨୦୨୦ ଏପ୍ରିଲ୍‌ ପହିଲାରୁ ଲାଗୁ ହେବ। ଏ ନେଇ କମ୍ପାନିର ମୁଖପାତ୍ର ଏକ ମେଲ୍‌ ଜରିଆରେ କହିଛନ୍ତି ଯେ କର୍ମଚାରୀମାନଙ୍କର ଅଂଶିଦାରିତା ଓ ଅନ୍ୟାନ୍ୟ ବିଭବକୁ ଦୃଷ୍ଟିରେ ରଖି କମ୍ପାନି ପକ୍ଷରୁ ଏହି ବାର୍ଷିକ ଦରମା ବୃଦ୍ଧି ଘୋଷଣା କରାଯାଉଛି।

କମ୍ପାନି ପକ୍ଷରୁ ଆହୁରି ବି କୁହାଯାଇଛି ‌ଯେ କରୋନା ଭାଇରସ୍‌ ପାଇଁ ‌ହୋଇଥିବା କ୍ଷତି ହେତୁ କମ୍ପାନି କୌଣସି କର୍ମଚାରୀଙ୍କର ଛଟେଇ କିମ୍ବା ଦରମା ହ୍ରାସ କରୁନାହିଁ। ୨୦୧୯ରେ କମ୍ପାନି ‌ଯାହା କରିଥିଲା ଚଳିତବର୍ଷ ବି ସେ ପ୍ରକ୍ରିୟା କମ୍ପାନିରେ କାର୍ଯ୍ୟକାରୀ ହେବ।

ସମ୍ବନ୍ଧିତ ଖବର