‘କଫି କିଙ୍ଗ୍‌’ ସିଦ୍ଧାର୍ଥଙ୍କ ଶେଷକୃତ୍ୟ ସଂପନ୍ନ

ବେଙ୍ଗାଲୁରୁ : ‘କେଫେ କାଫି ଡେ’ର ସଂସ୍ଥାପକ ତଥା କର୍ଣ୍ଣାଟକର ଖ୍ୟାତନାମା ବ୍ୟବସାୟୀ ବି.ଜି. ସିଦ୍ଧାର୍ଥ (୬୦)ଙ୍କ ଶବ ଆଜି ସକାଳେ ମେଙ୍ଗାଲୁରୁ ନିକଟରେ ନେତ୍ରବତୀ ନଦୀରୁ ମିଳିଛି। ସୋମବାର ରାତିରୁ ନିଖୋଜ ଥିବା ସିଦ୍ଧାର୍ଥଙ୍କ ଶବ ଠାବ ହେବା ପରେ ତାଙ୍କର ସଂପର୍କୀୟ ଏବଂ ବନ୍ଧୁମାନେ ଶବକୁ ଚିହ୍ନଟ କରିଥିଲେ। ନେତ୍ରାବତୀ ନଦୀରେ ୩୬ ଘଣ୍ଟା ଧରି ଚାଲିଥିବା ସର୍ଚ୍ଚ ଅପରେସନରେ ୨୫ ଜଣ ସନ୍ତରଣକାରୀଙ୍କ ସମେତ ୨୦୦ରୁ ଅଧିକ ଲୋକ ସାମିଲ ଥିଲେ। ଏଥିରେ କୋଷ୍ଟ୍‌ ଗାର୍ଡର ଜାହାଜ ଆଇସିଜିଏସ୍‌ ରାଜଦୂତ ଏବଂ ଏସିବି(ଏଚ୍‌-୧୯୮)କୁ ମଧ୍ୟ ସାମିଲ କରାଯାଇଥିଲା। ଏହି ମାମଲା ଏକ ଆତ୍ମହତ୍ୟା ବୋଲି ଜଣାପଡ଼ୁଥିଲେ ମଧ୍ୟ ଏହାର ଯାଞ୍ଚ ନ ସରିବା ପର୍ଯ୍ୟନ୍ତ କିଛି କହିହେବ ନାହିଁ ବୋଲି ପୁଲିସ କହିଛି। ‘କଫି କିଙ୍ଗ’ ଭାବେ ପରିଚିତ ସିଦ୍ଧାର୍ଥଙ୍କ ଶେଷକୃତ୍ୟ ତାଙ୍କ ଗୃହ ସହର ଚିକ୍କାମାଗାଲୁରରେ ଆଜି ଅପରାହ୍ନରେ ସଂପନ୍ନ ହୋଇଛି। ପୁଅ ଅମର୍ତ୍ୟ ମୁଖାଗ୍ନି ଦେଇଥିଲେ। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ‌ୟେଦୁରପ୍ପା, ପୂର୍ବ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ବାମୀଙ୍କ ସମେତ ବହୁ ନେତା ଶେଷକୃତ୍ୟରେ ସାମିଲ ହୋଇଥିଲେ।

ସିଦ୍ଧାର୍ଥ ସୋମବାର ବେଙ୍ଗାଲୁରୁରୁ ମେଙ୍ଗାଲୁରୁ ଯିବା ରାସ୍ତାରେ ନେତ୍ରାବତୀ ନଦୀ ପୋଲ୍‌ ଉପରେ ଅଟକି ଥିଲେ ଏବଂ କିଛି ସମୟ ଚାଲିବେ ବୋଲି ଡ୍ରାଇଭରକୁ କହି ବାହାରି ଯାଇଥିଲେ। ଏହାପରେ ସେ ଆଉ ଫେରିନଥିଲେ। ପ୍ରାୟ ୯୦ ମିନିଟ୍‌ ଅପେକ୍ଷା କରିବା ପରେ ଡ୍ରାଇଭର ପୁଲିସକୁ ଫୋନ୍‌ କରି ଏ ବାବଦରେ ଜଣାଇଥିଲେ। ସିଦ୍ଧାର୍ଥଙ୍କ ଜନ୍ମ କର୍ଣ୍ଣାଟକର ଚିକ୍କାମାଗାଲୁର ଜିଲ୍ଲାରେ ହୋଇଥିଲେ। ତାଙ୍କ ପରିବାର କଫି ଚାଷ କରିବା ସହ ବିଦେଶକୁ ରପ୍ତାନି କରୁଥିଲେ। ୧୯୯୩ରେ ସିଦ୍ଧାର୍ଥ କାଫି ଡେ ଗ୍ଲୋବାଲ ଆରମ୍ଭ କରିଥିଲେ। ସେ ଗତ ମାସରେ ଆଇଟି କମ୍ପାନି ମାଇଣ୍ଡ୍‌ ଟ୍ରିରେ ଥିବା ତାଙ୍କର ସଂପୂର୍ଣ୍ଣ ଅଂଶଧନକୁ ଲାର୍ସନ ଆଣ୍ଡ୍‌ ଟର୍ବୋକୁ ୩ ହଜାର କୋଟି ଟଙ୍କାରେ ବିକ୍ରି କରିଥିଲେ। କର୍ଣ୍ଣାଟକରେ ସିଦ୍ଧାର୍ଥଙ୍କର ୧୨ ହଜାର ଏକର ଜମିରେ କଫି ପ୍ଲାଣ୍ଟେସନ ରହିଛି।

ସମ୍ବନ୍ଧିତ ଖବର