ନୂଆଦିଲ୍ଲୀ: ଭାରତ-ଚୀନ ସୀମା ସଂଘର୍ଷରେ ସହିଦ ହୋଇ ଯାଇଛନ୍ତି ଭାରତର ୨୦ ଜଣ ବୀର ଯବାନ। ସେମାନଙ୍କ ପାଇଁ ସାରା ଦେଶ କାନ୍ଦୁଛି। ଶତ୍ରୁଙ୍କୁ ସାମ୍ନା କରି ହସି ହସି ନିଜ ଜୀବନ ଦେଇଥିବା ବୀରଙ୍କ ଗାଥା ପୂରା ଦେଶ ଗାଉଛି।

Advertisment

ଲଦାଖର ଗଲୱାନ ଉପତ୍ୟାକାରେ ଦେଶ ପାଇଁ ଜୀବନ ଦେଇଥିବା ଏହି ଯବାନମାନଙ୍କୁ ବୁଧବାର ନିଜ ନିଜ ଘରକୁ ସସମ୍ମାନେ ପଠାଯାଇଛି। ଜଣେ କମାଣ୍ଡିଂ ଅଫିସର୍‌ଙ୍କ ସମେତ ୨୦ ଜଣ ସହିଦ ଯବାନ କଫିନ୍‌କୁ ତ୍ରିରଙ୍ଗାରେ ଢଙ୍ଗାଯାଇ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି।

ଏହି ଯବାନମାନେ ଭିନ୍ନ ଭିନ୍ନ ୧୦ଟି ରାଜ୍ୟର ଥିଲେ। କର୍ଣ୍ଣେଲ୍‌ ସନ୍ତୋଷ ବାବୁଙ୍କ ମୃତଦେହକୁ ତେଲେଙ୍ଗାନାସ୍ଥିତ ତାଙ୍କ ଘରକୁ ଅନ୍ତିମ ସଂସ୍କାର ପାଇଁ ପଠାଇ ଦିଆଯାଇଛି। ଆପଣ ଜାଣିଥିବେ ନିଶ୍ଚୟ ଯେ ଭାରତ-ଚୀନ ମଧ୍ୟରେ ଉପୁଜିଥିବା ଏହି ସୀମା ବିବାଦ ଗତ ୫ ଦଶଂଧି ମଧ୍ୟରେ ସବୁଠାରୁ ବଡ଼। ଗତ ୪୫ ବର୍ଷ ମଧ୍ୟରେ ଚୀନ ସୀମାନ୍ତରେ କେହି ଭାରତୀୟ ଯବାନ ସହିଦ ହୋଇନଥିଲେ।

publive-image indiatoday

ଉଲ୍ଲେଖଯୋଗ୍ୟ, ୬ ସପ୍ତାହ ଧରି ପୂର୍ବ ଲଦାଖ୍‌ରେ ଉଭୟ ଭାରତ ଏବଂ ଚୀନ୍‌ ସୀମା ବିବାଦର ସମାଧାନ ପାଇଁ କଥାବାର୍ତ୍ତା ଜାରି ରଖିଥିଲେ। ଜୁନ୍‌ ୬ ତାରିଖରେ ଦୁଇ ଦେଶ ମଧ୍ୟରେ କମାଣ୍ଡର୍‌ସ୍ତରୀୟ ଆଲୋଚନା ମଧ୍ୟ ହୋଇଥିଲା। ସେନା ମୁଖ୍ୟ ଏମ୍‌ଏମ୍‌ ନରବ‌ଣେ ନିକଟରେ କହିଥିଲେ ଯେ ଲଦାଖ୍‌ ସୀମାରେ ସବୁକିଛି ନିୟନ୍ତ୍ରଣାଧୀନ ରହିଛି। ନରବଣେଙ୍କ ଏହି ବୟାନ ଆସିବାପରେ ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଲଦାଖ୍‌ ସ୍ଥିତି ସମୀକ୍ଷା କରିଥିଲେ ଏବଂ ସ୍ଥିତି ସୁଧୁରୁଥିବା ସ୍ପଷ୍ଟ ହୋଇଥିଲା। କିନ୍ତୁ ସୋମବାର ରାତି‌ରେ ଗଲ୍‌ୱାନ୍‌ ଘାଟି ନିକଟରେ ଭାରତ-ଚୀନ୍‌ ସୈନ୍ୟଦଳଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ଭାରତ ଜଣେ କର୍ନେଲ୍‌ଙ୍କ ସମେତ ୨୦ ଯବାନଙ୍କୁ ହରାଇଛି। ଚୀନ୍‌ର ମଧ୍ୟ ୪୦ରୁ ଅଧିକ ଯବାନଙ୍କ ମୃତ୍ୟୁ ହୋଇଛି।