ସିଏଜିଙ୍କୁ ପୂର୍ବତନ ଅମଲାତନ୍ତ୍ରୀଙ୍କ ଚିଠି:ରାଫେଲ୍‌ ରିପୋର୍ଟକୁ ଜାଣିଶୁଣି ବିଳମ୍ବ କରାଯାଉଛି

ନୂଆଦିଲ୍ଲୀ: ବିବାଦୀୟ ରାଫେଲ୍‌ ବିମାନ ଚୁକ୍ତି ଏବଂ ବିମୁଦ୍ରୀକରଣ ବାବଦରେ ୬୦ ଜଣ ପୂର୍ବତନ ଅମଲାତନ୍ତ୍ରୀ ସିଏଜି (ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ)ଙ୍କ ନିକଟକୁ ଚିଠି ଲେଖି ନିଜ ଅସନ୍ତୋଷ ଜାହିର କରିଛନ୍ତି। ଏହି ଦୁଇଟି ଗୁରୁତ୍ବପୂର୍ଣ୍ଣ ଘଟଣାରେ ସମୀକ୍ଷା ରିପୋର୍ଟକୁ ଜାଣିଶୁଣି ବିଳମ୍ବିତ କରାଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି। ସେମାନେ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ଆଗାମୀ ୨୦୧୯ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଏନ୍‌ଡିଏ ସରକାରଙ୍କୁ କୌଣସି କ୍ଷତି ନପହଞ୍ଚାଇବା ପାଇଁ ଏଭଳି କରାଯାଉଛି।
ଏହି ଅମଲାତନ୍ତ୍ରୀମାନେ ନିଜ ଚିଠିରେ କହିଛନ୍ତି ଯେ ରାଫେଲ୍‌ ବିମାନ ଚୁକ୍ତି ଓ ବିମୁଦ୍ରୀକରଣ ବାବଦରେ ଯାଞ୍ଚ ରିପୋର୍ଟ ଏତେ ବିଳମ୍ବ ହେବା ଉଚିତ ନୁହେଁ। ଅନ୍ତତଃ ଆଗାମୀ ଶୀତ ଅଧିବେଶନରେ ଏହା ସଂସଦରେ ଉପସ୍ଥାପନ ହେବା ଆବଶ୍ୟକ। ଦେଶର ନାଗରିକ ଏହି ରିପୋର୍ଟକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଯଦି ଠିକ୍‌ ସମୟରେ ଏହି ରିପୋର୍ଟ ଉପସ୍ଥାପନ ନହୁଏ, ତେବେ ଜାଣିଶୁଣି ଏନ୍‌ଡିଏ ସରକାରଙ୍କୁ ସୁରକ୍ଷା ଦେବା ପାଇଁ ଏଭଳି କରାଯାଉଛି ବୋଲି ବିବେଚନା କରାଯିବ। ଏହାଦ୍ବାରା ସିଏଜି ଉପରେ ଲୋକମାନେ ଯେଉଁ ବିଶ୍ବାସ ରଖିଛନ୍ତି, ତାହା ଧୂଳିସାତ୍‌ ହୋଇଯିବ ବୋଲି ସେମାନେ ଆଶଙ୍କା କରିଛନ୍ତି।
ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ଏମାନେ କହିଛନ୍ତି ଯେ ବିମୁଦ୍ରୀକରଣ ପ୍ରସଙ୍ଗରେ ସିଏଜି ଏ ପର୍ଯ୍ୟନ୍ତ ନିଜ ରିପୋର୍ଟ ଦେଇନାହାନ୍ତି। ପୂର୍ବତନ ସିଏଜି ଶଶିକାନ୍ତ ଶର୍ମା ସେତେବେଳେ କହିଥିଲେ ଯେ ଅଡିଟ୍‌ରେ ନୋଟ୍‌ ଛପା ପାଇଁ ହୋଇଥିବା ଖର୍ଚ୍ଚ, ରିଜର୍ଭ ବ୍ୟାଙ୍କର ଲାଭାଂଶ ଏବଂ ବ୍ୟାଙ୍କଗୁଡ଼ିକ ନିକଟରୁ ହାସଲ କରାଯାଇଥିବା ତଥ୍ୟକୁ ସାମିଲ କରାଯିବ। କିନ୍ତୁ ବିମୁଦ୍ରୀକରଣକୁ ଇତିମଧ୍ୟରେ ଦୁଇବର୍ଷ ବିତିଥିଲେ ହେଁ ସମୀକ୍ଷା ରିପୋର୍ଟ ଆଗତ ହୋଇନାହିଁ। ଚିଠିରେ ଆହୁରି ଦର୍ଶାଯାଇଛି ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା ରାଫେଲ୍ ବିମାନ ଚୁକ୍ତି ସମ୍ପର୍କରେ ସମୀକ୍ଷା ରିପୋର୍ଟ ଉପସ୍ଥାପନ ହେବ ବୋଲି କୁହାଯାଇଥିଲା। କିନ୍ତୁ ଏ ପର୍ଯ୍ୟନ୍ତ ସିଏଜିଙ୍କ ଦ୍ବାରା ଚୁକ୍ତି ସମ୍ପର୍କିତ ଫାଇଲ୍‌କୁ ତର୍ଜମା କରାଯାଇ ନାହିଁ। ଏହା ଯଥାଶିଘ୍ର ପ୍ରସ୍ତୁତ ହୋଇ ଉପସ୍ଥାପନ ହେବା ଜରୁରୀ ବୋଲି ସେମାନେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର