ନୂଆଦିଲ୍ଲୀ: ତାମିଲନାଡ଼ୁର କୋଏମ୍ବାଟୁର ପୁଲିସ ଡିଆଇଜି ଆଜି ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଛନ୍ତି। କୋଏମ୍ବାଟୁର ରେଡ୍ ଫିଲ୍ଡସ ସ୍ଥିତ ସରକାରୀ ବାସଭବନରେ ଡିଆଇଜି ବିଜୟ କୁମାର ଆଜି ସକାଳ ପ୍ରାୟ ୬.୧୫ ସମୟରେ ନିଜକୁ ଗୁଳି କରିଛନ୍ତି। ସେ ତାଙ୍କ ବାସଭବନରେ ଡ୍ୟୁଟିରେ ଥିବା ଜଣେ ଗନ୍ମ୍ୟାନଙ୍କଠାରୁ ପିସ୍ତଲ ଆଣି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଆଇପିଏସ ବିଜୟ କୁମାର ଅତ୍ୟନ୍ତ ବିଷାଦରେ ଥିଲେ। ତାଙ୍କୁ କମ୍ ନିଦ ହେଉଥିବା ସେ ଗତ କିଛି ଦିନ ତଳେ କହିଥିଲେ। ବିଜୟ କୁମାରଙ୍କୁ କାଉନସେଲ୍ କରାଯାଉଥିଲା। ଗତ କିଛି ଦିନ ତଳେ ତାଙ୍କ ପରିବାର ସଦସ୍ୟ ଚେନ୍ନାଇରୁ କୋଏମ୍ବାଟୁରକୁ ଆସିଥିଲେ। କିନ୍ତୁ ଆଜି ସକାଳେ ସେ ଆତ୍ମହତ୍ୟା କରିଦେଇଛନ୍ତି।
ଡିଆଇଜି ନିଜକୁ ନିଜେ ଗୁଳି କରିଥିବା ଜଣାପଡ଼ିବା ପରେ ତାଙ୍କ ବାସଭବନରେ ଥିବା ସୁରକ୍ଷାକର୍ମୀମାନେ ତୁରନ୍ତ ବରିଷ୍ଠ ଅଧିକାରୀଙ୍କୁ ଅବଗତ କରିଥିଲେ। ଡିଆଇଜିଙ୍କ ମର ଶରୀରକୁ ବ୍ୟବଚ୍ଛେଦ ପାଇଁ କୋଏମ୍ବାଟୁର ମେଡିକାଲ କଲେଜ ପଠାଯାଇଛି। ୨୦୦୯ ବ୍ୟାଚ୍ର ଆଇପିଏସ ଅଫିସର ବିଜୟକୁମାର କାଞ୍ଚିପୁରମ, କୁଡ଼ାଲୋର, ନାଗପଟ୍ଟିନମରେ ଏସ୍ପି ଥିଲେ ଏବଂ ସେ ଆନ୍ନାନଗର ଡିସିପି ଦାୟିତ୍ବ ତୁଲାଇଥିଲେ। ଚଳିତବର୍ଷ ଜାନୁଆରିରେ ସେ ଡିଆଇଜି ଭାବେ ଦାୟିତ୍ବ ନେଇଥିଲେ। ଡିଆଇଜିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଅଫିସର ବିଜୟକୁମାରଙ୍କ ଅକାଳ ବିୟୋଗ ଖବର ଶୁଣି ମୁଁ ଆଚମ୍ବିତ ଏବଂ ଦୁଃଖିତ। ତାଙ୍କ ମୃତ୍ୟୁ ତାମିଲନାଡ଼ୁ ପୁଲିସ ବିଭାଗ ପାଇଁ ଏକ କ୍ଷତି।