ମହିଳାଙ୍କ ପେଟରୁ ବାହାରିଲା ୩୩.୫ କିଲୋର ଟ୍ୟୁମର! ଏତେ ବଡ଼ ଟ୍ୟୁମର ବିଶ୍ୱରେ ପ୍ରଥମ ହୋଇଥିବା ନେଇ ଚର୍ଚ୍ଚା

କୋଏମ୍ବାଟୁର : କୋଏମ୍ବାଟୁରରେ ଡ଼ାକ୍ତରୀ ଦଳ ଏକ ଅସମ୍ଭବ ଜିନିଷକୁ ସମ୍ଭବ କରି ଦେଖାଇଥିବା ଜଣାପଡ଼ିଛି । ପ୍ରଥମ ଥର ପାଇଁ ଜଣେ ମହିଳାଙ୍କ ପେଟରୁ ୩୩.୫କିଲୋର ଟ୍ୟୁମର ବାହାର କରି ଇତିହାସ ରଚିଛନ୍ତି ଡ଼ାକ୍ତର । ମହିଳାଙ୍କ ନାମ ବସନ୍ତା ବୋଲି ଜଣା ପଡ଼ିଥିବା ବେଳେ ସେ କୋଏମ୍ବାଟୁରର ଉଟିରେ ରହୁଥିବା ସୂଚନା ମିଳିଛି।

ଚାଷ କାମ କରି ଜୀବନ ବିତାଉଥିବା ବସନ୍ତାଙ୍କ ପେଟରେ ଅଚାନକ ଯନ୍ତ୍ରଣା ଅନୁଭବ ହେବାରୁ ସେ ଡ଼ାକ୍ତରଖାନାରେ ପହଞ୍ଚିଥିଲେ । ଏହା ପରେ ତାଙ୍କ ଅଣ୍ଡାଶୟରେ ଟ୍ୟୁମର ଥିବା ଜଣାଇଥିଲେ ଡ଼ାକ୍ତର । ଡ଼ାକ୍ତର ଅସ୍ତ୍ରୋପଚାର କରିବା କଥା କହିବାରୁ ବସନ୍ତା ଡ଼ରରେ ଅସ୍ତ୍ରୋପଚାର ପାଇଁ ମନା କରି ଦେଇଥିଲେ । ଔଷଧ ନେଇ ଏହାକୁ ଭଲ କରିବା ପାଇଁ ଭାବିଥିବା ବସନ୍ତାଙ୍କ ଯନ୍ତ୍ରଣା ଧିରେ ଧିରେ ବଢ଼ିବାକୁ ଲାଗିଥିଲା । ଖାଦ୍ୟ ଖାଇବାରେ ଅସୁବିଧା ହେବାରୁ ବସନ୍ତା କୋଏମ୍ବାଟୁରରେ ଥିବା ଏକ ହସ୍ପିଟାଲକୁ ଆସି ଦେଖାଇବା ପରେ ହସ୍ପିଟାଲ ତରଫରୁ ଅସ୍ତ୍ରୋପଚାର କଥା କୁହାଯାଇଥିଲା । ଅନ୍ୟ କିଛି ବାଟ ନଥିବା ଜାଣି ବସନ୍ତା ଅସ୍ତ୍ରୋପଚାର କରିବା ପାଇଁ ରାଜି ହୋଇଥିଲେ ।

୩ ଘଣ୍ଟାର ଅସ୍ତ୍ରୋପଚାର ପରେ ବସନ୍ତାଙ୍କ ପେଟରୁ ୩୩.୫ କିଲୋର ଟ୍ୟୁମର ବାହାରିଥିଲା । ଅସ୍ତ୍ରୋପଚାର ପରେ ଏହା ଦୁନିଆର ସବୁଠାରୁ ବଡ଼ ଓଭାରିୟାନ କ୍ୟାନସର ଥିଲା ବୋଲି ଡ଼ାକ୍ତର କହିଛନ୍ତି । ଗିନିଜ୍‌ ବୁକ୍‌ ଅଫ୍‌ ରେକର୍ଡ଼ସକୁ ଏ ନେଇ ସୂଚନା ଦିଆ ଯାଇଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର