ମୁଖ୍ୟମନ୍ତ୍ରୀଙ୍କୁ ଥଣ୍ଡା ଚା ଦେବାରୁ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ, କଂଗ୍ରେସର କଡା ଟାର୍ଗେଟ ପରେ ନରମିଲେ ସରକାର

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଥଣ୍ଡା ଚା ଦେଇଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦିଆଗଲା ନିର୍ଦ୍ଦେଶ | ତେବେ ଵିରୋଧୀ ଦଳ କଂଗ୍ରେସର କଡା ଆପତ୍ତି ପରେ ଏହି ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରାଯାଇଛି | ମିଳିଥିବା ସୂଚନା ମୁତାବକ ଜୁଲାଇ ୧୧ରେ ମୁଖ୍ୟମନ୍ତ୍ରୀ ଶିବରାଜ ଅନ୍ୟ ସ୍ଥାନକୁ ଯିବା ପାଇଁ ଖଜୁରାହୋ ବିମାନବନ୍ଦରରେ କିଛି ସମୟ ରହିଥିଲେ। ଏହି ସମୟରେ, ତାଙ୍କୁ ଜଳଖିଆ ଏବଂ ଚା ଯୋଗାଇବାର ଦାୟିତ୍ୱ ଜଣେ ଅଧିକାରୀଙ୍କୁ ନ୍ୟସ୍ତ କରାଯାଇଥିଲା | ଆଉ ଏଥିରେ ସାମାନ୍ୟ ବ୍ୟତିକ୍ରମ ହୋଇଥିଲା | ଏହାକୁ ନେଇ ରାଜନଗର ସବ-ଡିଭିଜନାଲ ମାଜିଷ୍ଟ୍ରେଟଙ୍କ ତରଫରୁ ଜୁନିଅର ଯୋଗାଣ ଅଧିକାରୀ ରାକେଶ କାନହୁଆଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା ।

ଏଥିରେ କୁହାଯାଇଥିଲା ଯେ ମୁଖ୍ୟମନ୍ତ୍ରୀ ଜୁଲାଇ ୧୧ରେ ଖଜୁରାହୋ ବିମାନବନ୍ଦରରେ ଥିବାବେଳେ ତାଙ୍କ ଆତିଥେୟତା ବୁଝିବା ଦାୟିତ୍ୱ ଆପଣଙ୍କ ଉପରେ ଥିଲା | କିନ୍ତୁ ଆପଣ ତାଙ୍କୁ ଯେଉଁ ଚା ଦେଇଥିଲେ, ଏହା ଉତ୍ତମ ମାନର ନଥିଲା | ଏହା ସହ ଚା ଥଣ୍ଡା ମଧ୍ୟ ଥିଲା | ତେଣୁ ଏଭଳି କାହିଁକି ହେଲା ସେନେଇ କାରଣ ଦର୍ଶାଇବାକୁ କୁହାଯାଇଥିଲା | ଏହି ବିଜ୍ଞପ୍ତିରେ ଅଧିକାରୀଙ୍କୁ ତିନି ଦିନ ମଧ୍ୟରେ ଉତ୍ତର ଦେବାକୁ କୁହାଯାଇଥିଲା। ଯଦି ସେ ଉତ୍ତର ନ ଦିଅନ୍ତି ତେବେ ତାଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚିଠିରେ ଉଲ୍ଲେଖ ଥିଲା । ଏହି ଚିଠି ଜାରି କରାଯିବା ପରେ ବିରୋଧୀ ଦଳ କଂଗ୍ରେସ ଏହାକୁ ଟାର୍ଗେଟ କରିଥିଲା |

କଂଗ୍ରେସ ପକ୍ଷରୁ କୁହାଯାଇଥିଲା ଯେ ଲୋକଙ୍କୁ ଠିକ ସମୟରେ ରାସନ ସାମଗ୍ରୀ ନ ମିଳୁ ପଛେ, ରୋଗୀଙ୍କୁ ଆମ୍ବୁଲାନ୍ସ ନ ମିଳୁ ପଛେ, ମୁଖ୍ୟମନ୍ତ୍ରୀ ଥଣ୍ଡା ଚା ପିଇପାରିବେ ନାହିଁ | ତେବେ ବର୍ତ୍ତମାନ ଏହି ନୋଟିସକୁ ପ୍ରତ୍ୟାହାର କରାଯାଇଛି |

ସମ୍ବନ୍ଧିତ ଖବର