କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଥରୁର ଓ କେରଳ ପିସିସି ମଧ୍ୟରେ ଆରମ୍ଭ ହେଲା ଶୀତଳ ଯୁଦ୍ଧ!

ତିରୁବନନ୍ତପୁରମ: କଂଗ୍ରେସ ନେତା ଶଶି ଥରୁର କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ୧୦ ଜନପଥ ରୋଡ୍‌ ସ୍ଥିତ ତାଙ୍କ ବାସଭବନରେ ଭେଟିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଉ ମାତ୍ର ୪ ଦିନ ପରେ କଂଗ୍ରେସ ସଭାପତି ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ହେବାକୁ ଥିବାବେଳେ ଏହା ପୂର୍ବରୁ ଥରୁର ସୋନିଆଙ୍କୁ ଭେଟିବା ବିଷୟକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ଥରୁର କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିପାରନ୍ତି। ସୋନିଆ ଏଥିପାଇଁ ସବୁଜ ସ‌ଙ୍କେତ ଦେଇଛନ୍ତି ବୋଲି କୁହାଯାଉଛି | କିନ୍ତୁ ତାଙ୍କ ରାଜ୍ୟର କଂଗ୍ରେସ ୟୁନିଟ୍ ଥରୁରଙ୍କୁ ସମର୍ଥନ କରିବା ମୂଡ଼ରେ ନାହିଁ | କେରଳର କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ନିର୍ବାଚନ ଲଢ଼ିବା ଥରୁରଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ହୋଇପାରେ | କିନ୍ତୁ ସର୍ବାଧିକ ସଦସ୍ୟ ଗାନ୍ଧୀ ପରିବାରକୁ ସମର୍ଥନ କରିବେ ଓ ତାଙ୍କ ସହ ରହିବେ |

କେରଳର ଦୁଇ କଂଗ୍ରେସ ସାଂସଦ କେ ମୁରଲୀଧରନ ଓ କୋଡ଼ିକୁନୀଲ ସୁରେଶ କହିଛନ୍ତି ଯେ ଗାନ୍ଧୀ ପରିବାର ଯାହା ନାମ ସୁପାରିଶ କରିବ ତାଙ୍କ ପ୍ରତି ସଂଖ୍ୟାଗରିଷ୍ଠତା ରହିବ । ସେହିପରି ଅନ୍ୟ ରାଜ୍ୟ ଭଳି କେରଳ ପ୍ରଦେଶ କଂଗ୍ରେସ କମିଟି ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଅଧ୍ୟକ୍ଷ କରିବାକୁ ପ୍ରସ୍ତାବ ପାରିତ ପାଇଁ ପ୍ରସ୍ତୁତ ହେଉଛି | କେରଳ କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି ଯେ ଭାରତ ଯୋଡ଼ ଯାତ୍ରା ପାଇଁ କେରଳ ପକ୍ଷରୁ ଏହି ପ୍ରସ୍ତାବ ଦେବାରେ ବିଳମ୍ବ ହୋଇଛି, ନଚେତ କେରଳ କଂଗ୍ରେସ ହିଁ ପ୍ରଥମେ ପ୍ରସ୍ତାବ ଦେଇଥାନ୍ତା |

ସାଂସଦ କୋଡ଼ିକୁନୀଲ ସୁରେଶ କହିଛନ୍ତି ଯେ କହିଛନ୍ତି, ଅଧ୍ୟକ୍ଷ ପଦ ପାଇଁ ଲଢ଼ିବା ଶଶି ଥରୁରଙ୍କର ବ୍ୟକ୍ତିଗତ ନିଷ୍ପତ୍ତି | ସେ ଆମ ମଧ୍ୟରୁ କାହା ସହ ପରାମର୍ଶ କରିନାହାଁନ୍ତି | ଆମେ ସମସ୍ତେ ରାହୁଲ ଗାନ୍ଧୀ ପୁନର୍ବାର ଅଧ୍ୟକ୍ଷ ହୁଅନ୍ତୁ ବୋଲି ଚାଁହୁଛୁ | ଯଦି ସେ ଇଚ୍ଛା କରନ୍ତି ନାହିଁ, ତେବେ ଆମେ ସେହି ପ୍ରାର୍ଥୀଙ୍କୁ ସମର୍ଥନ କରିବୁ ଯାହାକୁ ଗାନ୍ଧୀ ପରିବାର ପକ୍ଷରୁ ପ୍ରାର୍ଥୀ କରାଯିବ | ଉଲ୍ଲେଖ ଥାଉ କି ରାହୁଲ ଗାନ୍ଧିଙ୍କୁ ପୁଣି କଂଗ୍ରେସ ସଭାପତି କରିବାକୁ ୭ଟି ରାଜ୍ୟର ପ୍ରଦେଶ କଂଗ୍ରେସ କମିଟି ( ପିସିସି) ସଂକଳ୍ପ ଗୃହୀତ କରିଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ମଧ୍ୟ କଂଗ୍ରେସ ସଭାପତି ପାଇଁ ମନୋନୟନ ପତ୍ର ଦାଖଲ କରିବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର