ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ଅଞ୍ଚଳ ଭୀଷଣ ଶୀତଲହରି ଯୋଗୁଁ ଥରୁଥିବା ବେଳେ ଋଷରେ - ୬୭ ଡିଗ୍ରୀ ନିମ୍ନକୁ ପାରଦ ଖସି ଆସିଛି। ଯାହା ମଙ୍ଗଳ ଗ୍ରହର ତାପମାନ -୬୦ ଡିଗ୍ରୀ ଠାରୁ ମଧ୍ୟ କମ ମାପ କରାଯାଇଛି। ଦୁନିଆର ସବୁଠାରୁ ଅଧିକ ଥଣ୍ଡା ଅଞ୍ଚଳ ଭାବେ ପ୍ରସିଦ୍ଧ ଋଷର ଯାକତସ୍କୁ ଅର୍ନ୍ତଗତ ଓମ୍ୟାକାନ ଗାଁରେ ମଙ୍ଗଳବାର ପାରଦ -୬୭ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ଫଳରେ ଏଠାରେ ଲାଗିଥିବା ଡିଜିଟାଲ ଥର୍ମୋମିଟର ମଧ୍ୟ ଫାଟିଯାଇଛି। ଏହି ଅଞ୍ଚଳରେ ପୂର୍ବରୁ ପାରଦ - ୫୦ ଡିଗ୍ରୀ ଯାଏଁ ଖସୁଥିବା ବେଳେ ପ୍ରଥମ ଥର ପାଇଁ ଏଭଳି ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଘରୁ ବାହାରିଲେ ଆଖିପତା ଚୁଟିରେ ସୁଦ୍ଧା ବରଫ ଜମି ଯାଉଛି।
କଲମର ସ୍ୟାହି ଏବଂ ଗ୍ଲାସରେ ପାଣି ମଧ୍ୟ ବରଫ ହୋଇଯାଉଛି। ଉକ୍ତ ଅଞ୍ଚଳରେ ରହୁଥିବା ପ୍ରାୟ ୫୦୦ ଅଧିବାସୀ ଏଭଳି ଥଣ୍ଡା ଏବଂ ବରଫପାତ ଯୋଗୁଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତାପମାନ - ୪୦ ଡିଗ୍ରୀ ଥିବା ସମୟରେ ମଧ୍ୟ ସ୍କୁଲ ଯାଉଥିବା ପିଲାମାନଙ୍କ ପାଇଁ ସୁରକ୍ଷା ଦୃଷ୍ଟିରୁ ସ୍କୁଲ ଛୁଟି କରିଦିଆଯାଇଛି। ମଙ୍ଗବାର ଠାରୁ ବାହାରକୁ ନବାହାରିବା ପାଇଁ ସେମାନଙ୍କ ଅଭିଭାବକଙ୍କୁ ପୁଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଦିନକୁ ମାତ୍ର ୩ ଘଣ୍ଟା ପାଇଁ ଦିନ ହେଉଥିବା ବେଳେ କିନ୍ତୁ ଅତ୍ୟଧିକ ଥଣ୍ଡାକୁ ସାମ୍ନା କରିବା ପାଇଁ ଏହି ଅଞ୍ଚଳର ଲୋକମାନେ ଆବଶ୍ୟକ ଥଣ୍ଡା ନିରୋଧ ବ୍ୟବସ୍ଥା ଗ୍ରହଣ କରି ଦୈନନ୍ଦିନ ଜୀବନ ଅତିବାହିତ କରୁଥିବା ସରକାରୀ ସୂତ୍ରରୁ ପ୍ରକାଶ। ତେବେ ଗତ ସପ୍ତାହରେ ଏହି ଅଞ୍ଚଳରେ ଅତ୍ୟଧିକ ଥଣ୍ଡା ଯୋଗୁଁ ବାହାରକୁ ବାହାରିଥିବା ବେଳେ ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ, ୨୦୧୩ରେ ନାସା ଦ୍ୱାରା ସାଟେଲାଇଟ ଜରିଆରେ ଅଣ୍ଟାର୍କଟିକାରେ -୯୪.୭ ଡିଗ୍ରୀ ସେଲସିୟସ ମାପ କରାଯାଇଥିଲା ଯାହା ଏପର୍ଯ୍ୟନ୍ତ ରେକର୍ଡ କରାଯାଇଥିବା ସର୍ବନିମ୍ନ ତାପମାନ ଅଟେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/cold-7.jpg)