ନୂଆଦିଲ୍ଲୀ: ସମଗ୍ର ଉତ୍ତର ଭାରତରେ ଏବେ ଶୀତ ଲହରୀର ପ୍ରକୋପ ଜାରି ରହିଛି। ପ୍ରବଳ ଥଣ୍ଡା ଯୋଗୁଁ ବିଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ପ୍ରଦେଶରେ ୭୦ ଜଣ ବେସାହାରା ଲୋକଙ୍କ ମୃତ୍ୟୁ ଘଟିଛି । ଶୀତ ଲହରି ଯୋଗୁଁ ପୂର୍ବାଞ୍ଚଳରେ ୨୨ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଆହ୍ଲାବାଦ ଡିଭିଜନରେ ୧୧ ଜଣ, ବୁନ୍ଦେଲଖଣ୍ଡରେ ୨୮ ଜଣଙ୍କ ମୃତ୍ୟୁ ଘଟିଛି । ରାଜ୍ୟର ସୁଲତାନପୁର ଜିଲ୍ଲା ସବୁଠାରୁ ଅଧିକ ଥଣ୍ଡା ରହଛି। ଏଠାରେ ତାପାମାତ୍ରା ୨.୮ ଡିଗ୍ରି ରେକର୍ଡ କରାଯାଇଛି ।
ଲକ୍ଷ୍ନୌରେ ତାପାମତ୍ରା ୩ ଡିଗ୍ରି ସେଲ୍୍ସିୟସ ରହିଛି। ଉତ୍ତରାଖଣ୍ଡ, ହିମାଚଳରେ ପ୍ରବଳ ବରପପାତ ଜାରି ରହିଥିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ଏବଂ ପରିବହନ ବ୍ୟବସ୍ଥା ବହୁଳ ଭାବେ ପ୍ରଭାବିତ ହୋଇଛି । ବରଫ ଗଦା ଭିତରେ ଅନେକ ଜନବସତି ଲୁଚି ଯାଉଥିବା ଦେଖାଯାଇଛି। ହାଡ଼ଥରା ଶୀତ ଓ କୁହୁଡ଼ି ଯୋଗୁଁ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅନେକ ସ୍ଥାନରେ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି। ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ଜମ୍ମୁ-କଶ୍ମୀରର ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରିଠାରୁ ତଳକୁୁ ଖସିଯାଇଛି। ଶ୍ରୀନଗରରେ ତାପମାତ୍ରା -୪.୮ ଡିଗ୍ରିକୁ ଖସିବା ସହ ଅଣାୟତ୍ତ ସ୍ଥିତି ଉପୁଜିଛି। ଉତ୍ତରାଖଣ୍ଡର ଅନେକ ସ୍ଥାନରେ ପାଣି ବରଫ ପାଲଟିଯିବାରୁ ସମସ୍ୟା ଉପୁଜିଛି। ହିମାଚଳ ପ୍ରଦେଶରେ ଲଗାତାର ବରଫପାତ ଫଳରେ ବିଜୁଳି ଓ ପାଣି ସମସ୍ୟା ଦେଖାଦେଇଛି ।
ଉତ୍ତରାଞ୍ଚଳରେ ପ୍ରବଳ ଶୀତଲହରୀ ଫଳରେ ପାର୍ବତ୍ୟାଞ୍ଚଳରେ ରହୁଥିବା ଲୋକମାନେ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ୫ ଶହରୁ ଅଧିକ ସଂଯୋଗକାରୀ ରାସ୍ତା ଅବରୋଧ ଯୋଗୁଁ ଲୋକଙ୍କ ପାଖରେ ସାମଗ୍ରୀ ପହଞ୍ଚୁନାହିଁ। ଗତ କିଛିଦିନ ଠାରୁ ହିମାଚଳ ପ୍ରଦେଶରେ ବରଫପାତ ଆରମ୍ଭ ହୋଇଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସ୍ଥିତିରେ ସୁଧାର ଆସିପାରିନାହିଁ। ଆସନ୍ତାକାଲି ଓ ସୋମବାର ପ୍ରବଳ ବରଫପାତ ହେବ ବୋଲି ମଧ୍ୟ ଅନୁମରାନ କରାଯାଇଛି । ରାଜ୍ୟ ସରକାରମାନେ ଏ ନେଇ ସ୍ଥିତି ସମୀକ୍ଷା କରି ବିହୀତ ପଦକ୍ଷେପ ଗ୍ରହଣ କରିଛନ୍ତି। ମନାଲି, ସିମଲା ଭଳି ସହରରେ ସକାଳର ତାପମାତ୍ରା ଶୂନ ଡିଗ୍ରି ରହୁଥିବା ଦେଖାଯାଇଛି।
ଜମ୍ମୁ-କଶ୍ମୀରରେ ଲଗାତାର ବରଫପାତ ଯୋଗୁଁ ସବୁକିଛି ଅଚଳ ହୋଇଯାଇଛି। ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଯାନ ଚଳାଚଳ କେତେକାଂଶରେ ବ୍ୟାହତ ହୋଇଛି। ରାସ୍ତାରେ ହଜାର ହଜାର ଯାନ ଅଟକି ରହିଥିବା ବେଳେ ସ୍ଥିତି ସୁଧୁରିବାକୁ ଆହୁରି ୫ ଦିନ ଲାଗିଯିବ ବୋଲି ଜଣାପଡ଼ିଛି। ବିହାରରେ ମଧ୍ୟ ପ୍ରବଳ ଶୀତ ଲହରୀ ଅନୁଭୂତ ହୋଇଛି । ପୂର୍ବ ଚମ୍ପାରଣ, ମୁଜାଫରଫୁର, ମୀନାପୁରର କେତେକ ସ୍ଥାନରେ ବରଫର ପତଳା ଆସ୍ତରଣ ପଡ଼ିଥିବା ଦେଖିବାକୁ ମିଳିଛି। ହିମାଚଳ ପ୍ରଦେଶରେ ପ୍ରବଳ ବରଫପାତ ଯୋଗୁଁ ପର୍ଯ୍ୟଟକଙ୍କ ପାଇଁ ସମସ୍ୟା ଉପୁଜିଛି। କୁଲ୍ଲ ଜିଲ୍ଲା ରାଜ୍ୟର ସର୍ବାଧିକ ଶୀତଳ ଅଂଚଳ ଭାବେ ପରିଗଣିତ ହୋଇଛି। ଏଠାରେ ତାପମାତ୍ରା -୫ରେ ପହଞ୍ଚିଛି। ପଂଜାବ ଏବଂ ହରିୟାଣାରେ ମଧ୍ୟ ପାରଦ ଖସି ଚାଲିଛି । ହରିୟାଣାର ନାର୍ନୁଲ ସହରର ସର୍ବନିମ୍ନ ତାମମାତ୍ରା ୫.୫ ଡିଗ୍ରି ସେଲ୍ସିୟସରେ ପହଞ୍ଚିଛି। ଘନ କୁହୁଡ଼ି ଯୋଗୁଁ ବିମାନ ଯାତ୍ରା, ରେଳ ଓ ସଡ଼କ ପଥରେ ଚଳାଚଳ ବାଧାପ୍ରାପ୍ତ ହୋଇଛି।