ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ୨.୯ ଡିଗ୍ରି ସେଲସିୟସକୁ ଖସି ଆସିବାରୁ ଗୁରୁବାରର ସକାଳ ଥିଲା ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳରେ ଜାନୁଆରି ମାସରେ ତିନି ବର୍ଷ ମଧ୍ୟରେ ସବୁଠାରୁ ଥଣ୍ଡା ସକାଳ। ଏହା ପୂର୍ବରୁ ସହରରେ ୨୦୨୩ ଜାନୁଆରି ସକାଳର ତାପମାତ୍ରା ଥିଲା ୧.୪ ଡିଗ୍ରି ସେଲସିୟସ୍।

Advertisment

ଗୁରୁଗ୍ରାମରେ ତାପମାତ୍ରା ୧ ଡିଗ୍ରି ସେଲସିୟସରୁ ତଳକୁ ଖସିଆସିଛି। ଅତ୍ୟଧିକ ଥଣ୍ଡା ସହିତ ଘନ କୁହୁଡ଼ି ଥିଲା, ଯାହା ଦୃଶ୍ୟମାନତା ହ୍ରାସ କରିଥିଲା ଏବଂ ସମଗ୍ର ଅଞ୍ଚଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ କରିଥିଲା। ଜାତୀୟ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା, ଅନେକ ସ୍ଥାନରେ ଦୃଶ୍ୟମାନତା ପ୍ରାୟ ଶୂନ୍ୟ ହୋଇଯାଇଥିଲା।

ଦିଲ୍ଲୀର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୩୫୬ ରହିଥିବା ଏକ ପ୍ରମୁଖ ଚିନ୍ତାର ବିଷୟ ହୋଇଛି। ସହରର ମନିଟରିଂ ଷ୍ଟେସନଗୁଡିକର ତଥ୍ୟ ଉଦ୍‌ବେଗଜନକ ପ୍ରଦୂଷଣ ସ୍ତରକୁ ଦର୍ଶାଇଛି, ଅଧିକାଂଶ ଅଞ୍ଚଳରେ ଏକ୍ୟୁଆଇ ୩୦୦ରୁ ଅଧିକ ରିପୋର୍ଟ କରାଯାଇଛି।

ଆଇଏମ୍‌ଡିର କହିବା ଅନୁସାରେ, ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା, ଚଣ୍ଡୀଗଡ଼, ପଶ୍ଚିମ ଉତ୍ତରପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ଝାଡ଼ଖଣ୍ଡ ଓ ଓଡ଼ିଶାରେ ଶୀତ ଲହରି ଜାରି ରହିବାର ସମ୍ଭାବନା ଅଛି। ପାଣିପାଗ ବିଶେଷଜ୍ଞ ଦେବେନ୍ଦ୍ର ତ୍ରିପାଠୀ, ମୌସମ୍ ଟ୍ରାକ୍‌ର ପ୍ରତିଷ୍ଠାତା ତଥା କିସାନ୍ ଟାକ୍‌ର ଜଣେ ପ୍ରମୁଖ ପାଣିପାଗ ଭ୍ଲଗର୍ କହିଛନ୍ତି ଯେ, ଏହି ଋତୁ ଏକ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରୁଛି। ଜାନୁଆରି ୧୫ରେ ଏକ ନୂତନ ପଶ୍ଚିମା ବିଶୃଙ୍ଖଳା ଆସିବାକୁ ଯାଉଛି। ଏହା ପରେ, ଜାନୁଆରି ୧୫ରୁ ୩୦ ମଧ୍ୟରେ, ଉତ୍ତର ଭାରତର ପାର୍ବତ୍ୟାଞ୍ଚଳରେ ପ୍ରବଳ ତୁଷାରପାତ ହେବ।

ଅନ୍ୟପକ୍ଷରେ ଦିଲ୍ଲୀ ବିମାନ ବନ୍ଦର କ୍ୟାଟ୍ ଥ୍ରି କାରଣରୁ ବିମାନ ଉଡ଼ାଣ ବିଳମ୍ବ ହେବାର ଆଶଙ୍କା ରହିଛି ବୋଲି ଯାତ୍ରୀ ପରାମର୍ଶାବଳୀ ଜାରି କରିଛି। ବିମାନ ବନ୍ଦର କହିଛି ଯେ, ବିମାନ ଚଳାଚଳ କମ୍ ଦୃଶ୍ୟମାନତା ପ୍ରକ୍ରିୟାରେ ଚାଲିଛି ଏବଂ ଯାତ୍ରୀମାନଙ୍କୁ ଅପଡେଟ୍ ପାଇଁ ଏୟାରଲାଇନ୍ସ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।