କାବୁଲ : ଆଫଗାନିସ୍ତାନ ରାଜଧାନୀ କାବୁଲରେ ପ୍ରବଳ ଶୀତ ଲହରି ଜାରି ରହିଛି। ଶୀତ ଲହରି ପାଇଁ ସପ୍ତାହକ ମଧ୍ୟରେ କାବୁଲରେ ପ୍ରାୟ ୭୮ ଲୋକଙ୍କ ମୃତ୍ୟୁ ହେଲାଣି। ତାଲିବାନ ନେତୃତ୍ବାଧୀନ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରାଳୟ ଦ୍ବାରା ପ୍ରାୟ ୧୦ ଲକ୍ଷ ପ୍ରଭାବିତ ଲୋକଙ୍କୁ ଖାଦ୍ୟ ଏବଂ ଆର୍ଥିକ ସହାୟତା ଦିଆଯାଇଛି। କାବୁଲର ଶିଲା ନାମକ ଜଣେ ମହିଳା ୧୦ଟି ପିଲାର ମା’। ଶିଲା କହିଛନ୍ତି, ଘରେ ହିଟର ନାହିଁ। ଘର ଉଷୁମ କରିବାପାଇଁ କାଠ କିଣିବାପାଇଁ ବି ଆମ ପାଖରେ ଟଙ୍କା ନାହିଁ। ଆମେ ସମସ୍ତେ ଗୋଟିଏ କମ୍ବଳ ତଳେ ଶୋଉଛୁ।
କାବୁଲରେ ପ୍ରବଳ ଶୀତ ପାଇଁ ମାନବୀୟ ସଙ୍କଟ ଦେଖାଦେଇଛି। ମଙ୍ଗଳବାର ପ୍ରାୟ ୨୦୦ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘର ଉଷୁମ କରିବାପାଇଁ ସେମାନେ ଗ୍ୟାସ ବ୍ୟବହାର କରିଥିବାରୁ ଏହାଦ୍ବାରା ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି।